ଜେନେଭା : କୋଭିଡ୍ ମୁକାବିଲା ଦିଗରେ ଭାରତ ଯେଭଳି ଲଗାତାର ଭାବେ ସମଗ୍ର ବିଶ୍ବକୁ ସହଯୋଗର ହାତ ବଢ଼ାଇଛି ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ମୁଖ୍ୟ ଟେଡ୍ରସ୍ ଆଦନମ୍ ଉଭୟ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଟେଡ୍ରସ୍ କହିଛନ୍ତି, ଜ୍ଞାନର ବଣ୍ଟନ ସହ ମିଳିମିଶି କାମ କରିବା ଦ୍ବାରା କରୋନାକୁ ସହଜରେ ହରାଇହେବ। ଭାରତ ଚଳିତ ସପ୍ତାହରେ ଭୁଟାନ୍, ମାଳଦ୍ବୀପ, ବାଂଲାଦେଶ, ନେପାଳ, ମିଆଁମାର , ସିସିଲ୍ସ, ଆଫଗାନିସ୍ତାନ ଏବଂ ମରିସସ୍ ଆଦି ସ୍ଥାନକୁ ଟିକା ପଠାଇବ ବୋଲି ଘୋଷଣା କରିଥିଲା। ନେପାଳ, ବାଂଲାଦେଶ, ଭୁଟାନ ଏବଂ ମାଳଦ୍ବୀପକୁ ଭାରତ ଟିକା ପଠାଇସାରିଛି।
ଭାରତ କରୋନା ମୁ୍କାବିଲା ଦିଗରେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଯେଭଳି ସହଯୋଗର ହାତ ବଢ଼ାଉଛି ସେଥିପାଇଁ ଉଭୟ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଯଦି ଆମେ କେବଳ ଏକାଠି କାମ କରିପାରିବା ତେବେ ଆମେ ଏହି ଭାଇରସ୍କୁ ହରାଇ ପାରିବା ବୋଲି ଟେଡ୍ରସ୍ ଆଦନମ୍ ଏକ ଟ୍ବିଟ୍ କରି କହିଛନ୍ତି। ପୂର୍ବରୁ ଭାରତ ମହାମାରୀ ମୁକାବିଲା ପାଇଁ ଅନେକ ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍, ରେମ୍ଡେସଭିର ଏବଂ ପାରାସିଟାମଲ୍ ଟାବଲେଟ୍ ପଠାଇଥିଲା।
ଭାରତ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଟିକା ପଠାଇଥିବାରୁ ବ୍ରାଜିଲ୍ ଏବଂ ଆମେରିକା ମଧ୍ୟ ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି। ନେପାଳ, ବାଂଲାଦେଶ, ମାଳଦ୍ବୀପ ଏବଂ ଭୁଟାନ୍ ପରି ରାଷ୍ଟ୍ରମାନଙ୍କୁ ମାତ୍ର ୩ ଦିନରେ ଭାରତ ଟିକା ପଠାଇଛି। ମରିସସ୍ , ମିଆଁମାର , ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କାକୁ ମଧ୍ୟ ଭାରତ ଟିକା ପଠାଇବ। ବ୍ରାଜିଲ୍ ରାଷ୍ଟ୍ରପତି ବଲ୍ସୋନାରୋ ଏକ ଟ୍ବିଟ୍ କରି ଟିକାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକା ବିଦେଶ ବିଭାଗ ଦ୍ବାରା ମଧ୍ୟ ଭାରତର ଏହି ଟିକାବଣ୍ଟନ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତର ଭୂମିକାକୁ ଆମେ ପ୍ରଶଂସା କରୁଛୁ ବୋଲି ଆମେରିକା ବିଦେଶ ବିଭାଗ କହିଛି।