ମାଟିରେ ମିଶିଲା ‘ପ୍ରଜା ବେଦିକା’

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବା‌ବୁ ନାଇଡ଼ୁଙ୍କ ଦ୍ବାରା ନିର୍ମିତ ସରକାରୀ ଭବନ ‘ପ୍ରଜା‌ ବେଦିକା’ ମାଟିରେ ମିଶିଯାଇଛି। ଆନ୍ଧ୍ରର ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ନିର୍ଦ୍ଦେଶକ୍ର‌ମେ ଏହି ସରକାରୀ ଭବନକୁ ଭାଙ୍ଗିବା କାର୍ଯ୍ୟ ଗତରାତିରୁ ଆରମ୍ଭ ହୋଇଛି। ‘ପ୍ରଜା ବେଦିକା’ ନାଇଡ଼ୁଙ୍କ ବାସଭବନ ନିକଟକୁ ଲାଗି କ୍ରିଷ୍ଣା ନଦୀ ଶଯ୍ୟାରେ ବେଆଇନ ଭାବେ ନିର୍ମାଣ ହୋଇଥିଲା। ଏହି କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାବେଳେ ମଧ୍ୟ ଏହାକୁ ନେଇ ବିବାଦ ଉପୁଜିଥିଲା। ୨୦୧୫ରେ ଆନୁମାନିକ ୧୦ କୋଟି ଟଙ୍କା ବିନିମୟରେ ଏହି କୋଠା ନିର୍ମାଣ ହୋଇଥିଲା। କିନ୍ତୁ ଏହି କୋଠା ନିର୍ମାଣ ବେଳେ ସମସ୍ତ ନୀତି ନିୟମ ଉଲ୍ଲଂଘନ ହୋଇଥିବାରୁ ଜଗନ ଏହି କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଦିନ ‘ପ୍ରଜା ବେଦିକା’ରେ ଶେଷ ଥର ପାଇଁ ବୈଠକ ହୋଇଥିଲା। ଜଗନ ଏଠାରେ ଜିଳ୍ଲାପାଳମାନଙ୍କର ଏକ ବୈଠକ ଡାକିଥିଲେ ଏବଂ କହିଥିଲେ ଯେ ଏହି କୋଠାଟି ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଖୁବ୍‌ ଶୀଘ୍ର ଏହା ଭଙ୍ଗାଯିବ। ଅନ୍ୟପକ୍ଷେ ଟିଡିପି ପକ୍ଷରୁ ଜଗନ ସରକାରଙ୍କ ଏଭଳି କାର୍ଯ୍ୟକୁ କଡ଼ା ସମାଲୋଚନା କରାଯାଇଛି। ଟିଡିପି ପକ୍ଷରୁ କୁହାଯାଇଛି ଯେ ଜଗନ ପ୍ରତିଶୋଧ ରାଜନୀତି କରୁଛନ୍ତି। ଏହି କୋଠାଟିକୁ ଭଙ୍ଗା ନଯାଇ ବ୍ୟବହାର କରାଯାଇ ପାରିଥାନ୍ତା ବୋଲି ଟିଡିପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର