ସରକାରଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ୟୁପିର ଦିନିକିଆ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ପ୍ରକାଶ

ପ୍ରୟାଗରାଜ: ଥରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଅ। ଉତ୍ତରପ୍ରଦେଶର ସବୁ ବ୍ୟବସ୍ଥାକୁ ସଜାଡ଼ି ଦେବି ବୋଲି କହିଛନ୍ତି ପ୍ରକାଶ । ମଥୁରାର ବାସିନ୍ଦା ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଫିଲ୍ମ ‘ନାୟକ’ର ଅନିଲ କପୁରଙ୍କ ଭଳି ଗୋଟିଏ ଦିନ ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ଏହି ଦାବି ସହିତ ସେ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତାଙ୍କ ଦାବି ପୂରଣ ପାଇଁ ସେ ପ୍ରୟାଗରାଜ ପୁଲିସ୍ ଷ୍ଟେସନ ବାହାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ସେ କହିଛନ୍ତି ଯେ ୟୁପିରେ ଅନେକ ବ୍ୟବସ୍ଥାରେ ଅନେକ ତ୍ରୁଟି ରହିଛି ଏବଂ ଏଥିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଯଦି ସେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସେ ଏହାକୁ ସଜାଡି ପାରିବେ। ସେ ନିଜର ଗୋଟିଏ ଦିନର କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ଥିବା ବେଳେ କେଉଁ ପରିବର୍ତ୍ତନ ଆଣିବେ, ତାହାର ସୂଚୀ ତିଆରି କରି ସାରିଥିବା କହିଛନ୍ତି ପ୍ରକାଶ ଚନ୍ଦ୍ର ଅଗ୍ରୱାଲ।

ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ନାୟକ’ ଚଳଚ୍ଚିତ୍ର ଦେଖି ସାରିଥିବା ସହ ସେ ଅନିଲ କପୁରଙ୍କ ଚରିତ୍ର ଦେଖି ବହୁତ ପ୍ରଭାବିତ ହୋଇଥିବା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜ୍ୟରେ ଥିବା ବିଭିନ୍ନ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଚାହୁଁଛି। ତେଣୁ ମୁଁ ଗୋଟିଏ ଦିନ ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ନହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବି।

ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ଅକ୍ଟୋବର ୩ରୁ ମଥୁରାରୁ ନିଜ ଧାରଣାରେ ବସିବାର ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ପ୍ରୟାଗରାଜ ଆସି ପୁନର୍ବାର ଅକ୍ଟୋବର ୧୦ରୁ ପ୍ରୟାଗରାଜ ହାଇକୋର୍ଟ ନିକଟ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ। ପରେ ସେଠାରୁ ଆସି ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏବେ ପ୍ରୟାଗରାଜ ପୁଲିସ ପୋଷ୍ଟରେ ବାହାରେ ଧାରଣାରେ ବସିଛନ୍ତି।

ସମ୍ବନ୍ଧିତ ଖବର