ଆଜି ଘର ଭାଙ୍ଗି ମୂର୍ତ୍ତି ତିଆରି କରୁଛନ୍ତି, କିଛି ନକହିଲେ ଆଗକୁ ଦେଶ ଭାଙ୍ଗିଦେବେ: ଅଭିନେତା ପ୍ରକାଶ ରାଜ୍

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଏବେ ଭିନ୍ନ ଭିନ୍ନ ପ୍ରକାରର ହିଂସା ଘଟୁଥିବାର ଖବର ସାମ୍ନାକୁ ଆସିଛି। ଗତ କିଛି ମାସ ମଧ୍ୟରେ ଦେଶରେ ସାମ୍ପ୍ରଦାୟିକ ହିଂସା ବଢ଼ିଥିବା ଦେଖାଯାଇଛି। ଏହି ପ୍ରସଙ୍ଗରେ ଦିଗ୍ଗଜ ନେତାମାନେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ବଲିଉଡ ଅଭିନେତା ତଥା ସାଉଥ୍ ସୁପରଷ୍ଟାର ପ୍ରକାଶ ରାଜ ଏବେ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଆଜି ଘର ଭାଙ୍ଗି ମୂର୍ତ୍ତି ତିଆରି କରୁଛନ୍ତି। କିଛି ନକହିଲେ ଆଗକୁ ଦେଶ ଭାଙ୍ଗିଦେବେ। ଏଭଳି ଲେଖି ହାସଟ୍ୟାଗ୍ ଦେବା ସହ ବାସ ପଚାରୁଛି ବୋଲି ଲେଖିଛନ୍ତି ପ୍ରକାଶ ରାଜ। ସେ ଏଭଳି ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ସେ ବିଜେପି ବିରୋଧୀ ମନ୍ତବ୍ୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅନେକ ପ୍ରଭାବଶାଳୀ ଚରିତ୍ରରେ ନଜର ଆସିଥିବା ପ୍ରକାଶ ରାଜ୍ ୧୯୯୮ରେ ହିଟଲର ଚଳଚ୍ଚିତ୍ରରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ‘ୱାଣ୍ଟେଡ୍’ର ଘନି ଭାଇଙ୍କ ଚରିତ୍ର ତାଙ୍କୁ ନୂଆ ପରିଚୟ ଆଣି ଦେଇଥିଲା। ସେ ଇନ୍ଦ୍ରପ୍ରସ୍ଥମ, ବନ୍ଧନମ୍, ଭିଆଇପି, ନନ୍ଦନୀ, ଶାନ୍ତି ଶାନ୍ତି ଶାନ୍ତି, ଆଜାଦ, ଗୀତା, ଋଷି, ଦୋସ୍ତ, ସିଙ୍ଘମ, ୱାଣ୍ଟେଡ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏପ୍ରିଲ ୧୪ରେ ରିଲିଜ ହୋଇଥିବା ଫିଲ୍ମ କେ.ଜି.ଏଫ୍-୨ ଫିଲ୍ମରେ ବି ତାଙ୍କୁ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର