ନୂଆଦିଲ୍ଲୀ: ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି। ପଂଜାବର ମୁକ୍ତସର ଜିଲ୍ଲା ଅଧୀନସ୍ଥ ପୈତୃକ ଗ୍ରାମ ‘ବାଦଲ’ରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଫୁଲରେ ସଜା ହୋଇଥିବା ଏକ ଟ୍ରାକ୍ଟର ଟ୍ରଲିରେ ଆଜି ବାଦଲଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ନିକଟରୁ ଅଳ୍ପ କିଛି କିଲୋମିଟର ଦୂରରେ ଥିବା ପରିବାରର ଏକ ଚାଷଜମିକୁ ନିଆଯାଇଥିଲା। ବିଜେପି ସଭାପତି ଜେପି ନଡ୍ଡା, ଏନସିପି ସୁପ୍ରିମୋ ଶରଦ ପାୱାର, ଏନ୍ସି ନେତା ଓମାର ଅବଦୁଲ୍ଲା ଆଜି ବାଦଲ ଗ୍ରାମକୁ ଯାଇ ପ୍ରକାଶ ସିଂହ ବାଦଲଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ ବିଜେପି ନେତା ତରୁଣ ଛୁଗ, ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ ପଟେଲ ପ୍ରକାଶ ସିଂହ ବାଦଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରକାଶ ସିଂହ ବାଦଲଙ୍କ ଗ୍ରାମରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳେ ମର ଶରୀରକୁ ବାସଭବନରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ବହୁ ସଂଖ୍ୟାରେ ଜନତା ପ୍ରକାଶ ସିଂହ ବାଦଲଙ୍କ ବାସଭବନରେ ଭିଡ଼ ଲଗାଇ ଶେଷ ଦର୍ଶନ କରିଥିଲେ।