ପାଣାଜୀ: ଭଗବାନ ମୁଖ୍ୟମନ୍ତ୍ରୀ ହେଲେ ବି ଶତ ପ୍ରତିଶତ ଲୋକଙ୍କୁ ସରକାରୀ ଚାକିରି ଦେଇପାରିବେ ନାହିଁ | ଆଜି ଏଭଳି ଏକ ରୋଚକ ବୟାନ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ | ଗୋଆ ରାଜଧାନୀ ପାଣାଜୀରେ ସେ କହିଛନ୍ତି ଯେ ଯଦି ଭଗବାନ ମଧ୍ୟ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସେ ମଧ୍ୟ ଶତପ୍ରତିଶତ ଲୋକଙ୍କୁ ସରକାରୀ ଚାକିରି ଦେଇ ପାରିବେ ନାହିଁ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିହାରର ନିର୍ବାଚନ ପ୍ରଚାରରେ ପ୍ରତ୍ୟେକ ଦଳ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି |
ଶନିବାର ସାୱନ୍ତ ତାଙ୍କ ସରକାରଙ୍କ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ‘ସ୍ଵୟମପୂର୍ଣ୍ଣ ମିତ୍ର’ ଉଦଘାଟନ ଅବସରରେ ଏହା କରିଛନ୍ତି। ଉଦଘାଟନ ପରେ ପଂଚାୟତ ପ୍ରତିନିଧିମାନଙ୍କ ସହ ଏକ ୱେବ୍ କନଫରେନସିଂରେ ସେ କହିଥିଲେ ଯେ ଆସନ୍ତାକାଲି ଭଗବାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସମସ୍ତ ଲୋକଙ୍କୁ ସରକାରୀ ଚାକିରୀ ଦେବା ସମ୍ଭବ ନୁହେଁ |
ସୂଚନାଯୋଗ୍ୟ ଯେ ବିହାର ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଆଉ ଏହାକୁ ନେଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ ବା ଜେଡିୟୁର ମୁଖ୍ୟ ନୀତୀଶ କୁମାର ପ୍ରଶ୍ନ କରିଛନ୍ତି ଯେ ଆରଜେଡି ଏତେ ଚାକିରି ପାଇଁ କେଉଁଠୁ ଟଙ୍କା ଆଣିବ?