ପ୍ରଣବ, ଭୂପେନ, ନାନାଜୀଙ୍କୁ ଭାରତରତ୍ନ ପ୍ରଦାନ

ନୂଆଦିଲ୍ଲୀ: ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ଏହା ସହିତ ଜନସଂଘ ନେତା ନାନାଜୀ ଦେଶମୁଖ ଏବଂ ପ୍ରଖ୍ୟାତ ଗାୟକ ଭୂପେନ୍‌ ହଜାରିକାଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ତିନି ମହାନ ସନ୍ତାନଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଉତ୍ସବରେ ଭୂପେନ ହଜାରିକାଙ୍କ ଭାରତ ରତ୍ନ ସମ୍ମାନକୁ ତାଙ୍କ ପୁଅ ତେଜ୍‌ ହଜାରିକା ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କରିଥିଲେ। ନାନାଜୀ ଦେଶମୁଖଙ୍କ ପକ୍ଷରୁ ଦୀନ୍‌ଦୟାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ବୀରେନ୍ଦ୍ରଜିତ ସିଂହ ସମ୍ମାନ ଗ୍ରହଣ କରିଥିଲେ।

୨୦୧୭ରେ ରାଷ୍ଟ୍ରପତି ପଦରୁ ଅବସର ନେଇଥିବା ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବାକୁ ଘୋଷଣା କରି ମୋଦୀ ସରକାର ସମସ୍ତଙ୍କୁ ଚକିତ କରିଥିଲେ। କଂଗ୍ରେସର ଏହି ବରିଷ୍ଠ ନେତା ତାଙ୍କର ସଂପୂର୍ଣ୍ଣ ରାଜନୈତିକ ଜୀବନରେ ବିଜେପି ଏବଂ ସଂଘ ପରିବାରର ବିଚାରଧାରା ବିରୋଧରେ ଲଢ଼େଇ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ପ୍ରଣବଙ୍କ ସଂପର୍କ ଅତ୍ୟନ୍ତ ଘନିଷ୍ଠ ରହିଥିଲା। ଆର୍‌ଏସ୍‌ଏସ୍‌ର ଏକ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଣବ ସାମିଲ ହୋଇ କଂଗ୍ରେସକୁ ବିସ୍ମିତ କରିଦେଇଥିଲେ। ନାନାଜୀ ଦେଶମୁଖ ବିଜେପିର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଅତୁଳନୀୟ ଥିଲା। ଆସାମର ପ୍ରଖ୍ୟାତ ଗାୟକ ତଥା କବି ଭୂପେନ ହଜାରିକାଙ୍କର ଦେଶର କଳା ଓ ସଂସ୍କୃତି କ୍ଷେତ୍ର ପ୍ରତି ଅନେକ ଅବଦାନ ରହିଛି।

ସମ୍ବନ୍ଧିତ ଖବର