ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଭୁପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ଚଳିତ  ବର୍ଷ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବା ଲାଗି ଘୋଷଣା ହୋଇଛି । ତାଙ୍କ ସହ ସମାଜସେବୀ ନାନାଜୀ ଦେଶମୁଖ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବ । ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ପ୍ରଣବଙ୍କୁ ଭାରତ ରତ୍ନ ଦେବା ସବୁଆଡେ ବେଶ ଚର୍ଚ୍ଚା ହେଉଛି । ସେ ଭାରତ ରତ୍ନ ପାଇବା ପରେ ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଆମ ସମୟର ଜଣେ ଉତ୍ତମ ରାଷ୍ଟ୍ରନୀତିଜ୍ଞ ବୋଲି କହିଛନ୍ତି । ଅନେକ ଦଶନ୍ଧି ଧରି ସେ ଦେଶ ପାଇଁ କାମ କରି ଦେଶର ବିକାଶରେ ଯୋଗଦାନ ଦେଇଛନ୍ତି । ତାଙ୍କର ସାଧୁତା ଓ ଅଭିଜ୍ଞତାର ତୁଳନା ନାହିଁ ବୋଲି ମୋଦି କହିଛନ୍ତି । ଅନ୍ୟପକ୍ଷରେ ଆସାମର ପ୍ରସିଦ୍ଧ ସଂଗୀତଜ୍ଞ  ଭୁପେନ ହଜାରିକାଙ୍କୁ ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତରଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

 

ସମ୍ବନ୍ଧିତ ଖବର