ହେଡ୍‌ଗେଓ୍ଵାର୍‌ଙ୍କୁ ପ୍ରଶଂସା କରି ଅଡ଼ୁଆରେ ପ୍ରଣବ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସ୍‌ଏସ୍‌)ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନାଗପୁର ଗସ୍ତ କରିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂଘ ପ୍ରତିଷ୍ଠାତା ସରସଂଘଚାଳକ କେଶବ ବଳିରାମ୍‌ ହେଡ୍‌ଗେଓ୍ଵାରଙ୍କୁ ପ୍ରଶଂସା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ହେଡ୍‌ଗେଓ୍ଵାରଙ୍କ ଜନ୍ମସ୍ଥାନକୁ ପରିଦର୍ଶନ କରିବା ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଭଳି ଉଲ୍ଲେଖ କରିଛନ୍ତି। ସେଠାରେ ଥିବା ଦର୍ଶକ ପୁସ୍ତିକାରେ ଶ୍ରୀ ମୁଖାର୍ଜୀ ତାଙ୍କର ମନ୍ତବ୍ୟ ମଧ୍ୟ ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଭାରତ ମାତାର ଜଣେ ମହାନ ସନ୍ତାନଙ୍କୁ ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ମୁଁ ଏଠାକୁ ଆସିଛି। ତେବେ, ହେଡ୍‌ଗେଓ୍ଵାରଙ୍କ ଜନ୍ମସ୍ଥାନକୁ ଆସିବା ନିମେନ୍ତ ଶ୍ରୀ ମୁଖାର୍ଜୀଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଜନା ମଧ୍ୟରେ ନଥିଲା। ତେବେ ପୂର୍ବରୁ ସଂଘ ବିରୋଧରେ ଅନେକଥର ମନ୍ତବ୍ୟ ଦେଇଥିବା ପ୍ରଣବ କାର୍ଯ୍ୟକ୍ରମ ବାହାରେ ହେଡ୍‌ଗେଓ୍ଵାରଙ୍କ ଜନ୍ମସ୍ଥାନକୁ ଯାଇ ସେଠାରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଦେବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ହେଡ୍‌େଓ୍ଵାରଙ୍କ ଜନ୍ମସ୍ଥଳୀରେ ପହଞ୍ଚିବା ପରେ ସେଠାରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଶ୍ରୀ ମୁଖାର୍ଜୀଙ୍କୁ ସ୍ୱାଗତ କରିଥିଲେ। ଭାଗବତଙ୍କ ସହ ମିଶି ହେଡ୍‌ଗେଓ୍ଵାରଙ୍କ ଜନ୍ମସ୍ଥାନକୁ ଶ୍ରୀ ମୁଖାର୍ଜୀ ଏକ ସରୁ ଗଳି ଦେଇ ଚାଲି ଚାଲି ଯାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି। ସେମାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି।

ପ୍ରଣବ ଦା’ଙ୍କଠାରୁ ଏଭଳି ଆଶା କରାଯାଉ ନଥିଲା: କଂଗ୍ରେସ
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ର ନାଗପୁରସ୍ଥିତ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଦେବା ଘଟଣାକୁ କଂଗ୍ରେସର ନେତାମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ପୂର୍ବରୁ ଏହି ଘଟଣାରେ କଂଗ୍ରେସର ଏକାଧିକ ନେତା ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରି ସାରିଥିବାବେଳେ ଆଜି ଏଥିରେ ସୋନିଆ ଗାନ୍ଧିଙ୍କ ଘନିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ମଧ୍ୟ ସାମିଲ ହୋଇଛନ୍ତି। ପ୍ରଣବ ଦା’ଙ୍କ ଠାରୁ ମୁଁ ଏଭଳି ଆଶା କରି ନଥିଲି ବୋଲି ପଟେଲ ଏକ ଟ୍ଵିଟ୍‌ରେ ଆଜି କହିଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ଅନେକ କଂଗ୍ରେସ ନେତା ସେମାନଙ୍କ ମତାମତ ଦେଇ ସାରିଥିବାବେଳେ ଗତକାଲି ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଟ୍ଵିଟରରେ ତାଙ୍କ ମତ ରଖିଥିଲେ। ସେ କହିଥିଲେ ଯେ ଆପଣ ନିଜର ମତକୁ ଉପସ୍ଥାପନ କରିବା ପାଇଁ ନାଗପୁର ଯାଉଛନ୍ତି ବୋଲି ଆରଏସ୍‌ଏସ୍‌ କର୍ମୀମାନେ ବିଶ୍ୱାସ କରିବେ ନାହିଁ। ଆପଣଙ୍କ ଭାଷଣକୁ ଭୁଲିଯିବେ। କିନ୍ତୁ ଆପଣଙ୍କ ଛବି ରହିଯିବ। ମିଥ୍ୟା ବିବୃତି ସହିତ ସେହି ଛବିର ପ୍ରସାର କରାଯିବ । ନାଗପୁରକୁ ଯିବା ଦ୍ୱାରା ଆପଣ ବିଜେପି/ଆରଏସ୍‌ଏସ୍‌କୁ ମିଥ୍ୟା ଖବର ରୋପଣ କରିବାର ସୁଯୋଗ ଦେଉଛନ୍ତି ବୋଲି ଶର୍ମିଷ୍ଠା ଗତକାଲି ଟ୍ଵିଟ୍‌ ବାର୍ତ୍ତାରେ କହିଥିଲେ। ତେବେ ପ୍ରଣବ ନାଗପୁର ଯିବା ଖବର ଆସିବା ପରେ ପ୍ରଥମେ ଏ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମ୍‌ ମୁହଁ ଖୋଲିଥିଲେ। ସେ ଯଦିଓ ଏ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତଥାପି କହିଥିଲେ ପ୍ରଣବ ନାଗପୁର ଯିବା ପାଇଁ ଆମନ୍ତ୍ରଣକୁ ଗ୍ରହଣ କରିସାରିଥିବାରୁ ସେ ଯିବା ଉଚିତ। ତେବେ ସେମାନଙ୍କ ଆଦର୍ଶରେ କଣ ତ୍ରୁଟି ରହିଛି ତାହା ସେମାନଙ୍କୁ କହିବା ଉଚିତ ବୋଲି ଚିଦମ୍ବରମ୍‌ କହିଥିଲେ। ସେହିଭଳି କେରଳର ବରିଷ୍ଠ କଂଗ୍ରେସ ନେତା ରମେଶ ଚେନ୍ନିତାଲ୍ଲା ମଧ୍ୟ ଗତ ସପ୍ତାହରେ ପ୍ରଣବଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ସେଥିରେ ପ୍ରଣବଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ କହିଥିଲେ। ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଭି. ହନୁମନ୍ଥା ରାଓ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ପ୍ରଣବଙ୍କୁ ଅନୁରୋଧ କରିଥିଲେ। କଂଗ୍ରେସ ନେତା ସି. କେ. ଜାଫର ସରିଫ୍‌ ମଧ୍ୟ ଏ ନେଇ ପ୍ରଣବ ମୁଖାର୍ଜୀଙ୍କୁ ଏକ ଚିଠି ଲେଖିଥିଲେ। ଅନେକ କଂଗ୍ରେସ ନେତା ଏ ନେଇ ସେମାନଙ୍କ ମତ ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କିମ୍ବା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ଏଯାଏଁ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର