ନୂଆଦିଲ୍ଲୀ: ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଗତକାଲି ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଭେଣ୍ଟିଲେଟର ସହାୟତାରେ ରହିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସ୍ବାସ୍ଥାବସ୍ଥାରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇନାହିଁ। ବରଂ ବେଳୁ ବେଳ ତାହା ଅଧିକ ଖରାପ ହେଉଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି ବୋଲି ହସ୍ପିଟାଲ୍‌ ସୂତ୍ରରୁ ଜଣାପଡ଼ିଛି। ପ୍ରଣବଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ଗତକାଲି ମଧ୍ୟାହ୍ନରେ ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ତାହା ପୂର୍ବରୁ ସେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏକ ବିଶେଷଜ୍ଞ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଅହରହ ନିରୀକ୍ଷଣରେ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସାମାନ୍ୟତମ ଉନ୍ନତି ହୋଇନଥିବା ହସ୍ପିଟାଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଣବଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ସଂପର୍କରେ ନିଜେ ପ୍ରଣବ ଗତକାଲି ଟ୍ବିଟ୍ କରି ସୂଚନା ଦେଇଥିଲେ।