ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ୭ ତାରିଖରେ ନାଗପୁରରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ର ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ମଧ୍ୟ ଏଥିପାଇଁ ରାଜି ହୋଇଥିବା ଜଣେ ଆର୍ଏସ୍ଏସ୍ କର୍ମକର୍ତା ରାକେଶ ସିହ୍ନା କହିଛନ୍ତି। ସମ୍ପ୍ରତ୍ତି ହିନ୍ଦୁତ୍ୱ ଏଜେଣ୍ଡା ଓ ଅନ୍ୟ ସମ୍ପ୍ରଦାୟ ସହ ବୃଦ୍ଧି ପାଉଥିବା ବିବାଦକୁ ନେଇ ସଂଘ ଚର୍ଚ୍ଚାରେ ଥିବା ବେଳେ ଶ୍ରୀ ମୁଖାର୍ଜୀ ଏହି କାର୍ଯ୍ୟକ୍ରମରେ କ’ଣ ବାର୍ତ୍ତା ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସଂଘ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସେପଟେ, ଆରଏସ୍ଏସ୍ ବିଜେପିର ଆଦର୍ଶ ସଂଗଠନ ହୋଇଥିବା ବେଳେ ଏହାର କାର୍ଯ୍ୟକ୍ରମରେ ଶ୍ରୀ ମୁଖାର୍ଜୀ ଯୋଗ ଦେବାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି। କଂଗ୍ରେସ ଓ ବିଜେପି ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଏହି ସମୟରେ ଶ୍ରୀ ମୁଖାର୍ଜୀଙ୍କ ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗ ଦେବା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରଣବଙ୍କ ଅଫିସ ପକ୍ଷରୁ ଏସଂପର୍କରେ କିଛି କୁହାଯାଇନାହିଁ।
ମିଳିଥିବା ଖବର ମୁତାବକ, ନାଗପୁରରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ମୁଖାର୍ଜୀ ଦୁଇ ଦିନ ଯାଏଁ ସାମିଲ ହୋଇ ୮ ତାରିଖରେ ଦିଲ୍ଲୀ ଫେରିବେ। ଉଲ୍ଳେଖଯୋଗ୍ୟ, ଶ୍ରୀ ମୁଖାର୍ଜୀ ରାଷ୍ଟ୍ରପତି ଥିବା ସମୟରେ ହିଁ ସଂଘ ମୁଖ୍ୟ ଭାଗବତଙ୍କ ସହ ଅନେକ ଥର ତାଙ୍କର ସାକ୍ଷାତ ହୋଇଛି। ଭାଗବତଙ୍କ ସହ ଶ୍ରୀ ମୁଖାର୍ଜୀଙ୍କର ମଧ୍ୟ ଉତ୍ତମ ସମ୍ପର୍କ ରହିଛି। ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ବୋଲି ସଂଘ ଦାବି କରିଛି। ତେବେ ରାଜନୈତିକ ଶତ୍ରୁତାକୁ ଛାଡ଼ି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ନିଷ୍ପତ୍ତି ନେଇ ଶ୍ରୀ ମୁଖାର୍ଜୀ ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି ଜଣେ ଆରଏସ୍ଏସ୍ ନେତା କହିଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ ସାରା ଦେଶରୁ ପ୍ରାୟ ୮ଶହ କର୍ମୀ ଯୋଗ ଦେବେ।
ଶ୍ରୀ ମୁଖାର୍ଜୀ ୨୦୧୨ ମସିହାରେ ରାଷ୍ଟ୍ରପତି ହେବା ଯାଏଁ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ଥିଲେ। ପ୍ରାୟ ସମସ୍ତ କଂଗ୍ରେସ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବା ବେଳେ ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଆଶାୟୀ ଥିବା ବେଳେ ସୋନିଆ ଗାନ୍ଧୀ ଏଥିରେ ରାଜି ହୋଇ ନଥିଲେ।
ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଣବ ମୁଖାର୍ଜୀ!
/sambad/media/post_attachments/wp-content/uploads/2018/05/pranab-mukharjee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)