ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରଣବଙ୍କ ବିୟୋଗ ସଂଘ ପାଇଁ ଅପୂରଣୀୟ କ୍ଷତି, ଆରଏସ୍‌ଏସ୍‌ ମୁଖ୍ୟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତା କମଲ ହାସନ ପ୍ରମୁଖ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଠାରେ କିଛି ପ୍ରମୁଖ ବ୍ୟକ୍ତିଙ୍କ ଶୋକବାର୍ତ୍ତା…

ପ୍ରତି ପଦବିକୁ ଗୌରବାନ୍ବିତ କରିଥିଲେ ପ୍ରଣବ: ଉପରାଷ୍ଟ୍ରପତି
ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦେଶ ଜଣେ ବରିଷ୍ଠ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲା। ଏକ ସାଧାରଣ ପରିବାରରୁ ରାଜନୈତିକ ଜୀବନଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା ପଛରେ ତାଙ୍କର କଠୋର ପରିଶ୍ରମ , ନିଷ୍ଠା, ଅନୁଶାସନ ଏବଂ ତ୍ୟାଗ ରହିଛି ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ପ୍ରଣବ ଦାୟିତ୍ବ ନିର୍ବାହ କରିଥିବା ସମସ୍ତ ପଦବିକୁ ତାଙ୍କର ମହାନ କାର୍ଯ୍ୟ ଦ୍ବାରା ଗୌରବାନ୍ବିତ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ପ୍ରଣବଙ୍କ ବିୟୋଗ ସଂଘ ପାଇଁ ଅପୂରଣୀୟ କ୍ଷତି: ଆରଏସ୍‌ଏସ୍‌ ମୁଖ୍ୟ
ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଆରଏସ୍‌ଏସ୍‌ ପାଇଁ ଅପୂରଣୀୟ କ୍ଷତି ବୋଲି ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ପ୍ରଣବ ମୁଖାର୍ଜୀ ଦେଶର ସ୍ବାର୍ଥକୁ ହିଁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସେ ରାଜନୀତିକ ଅସ୍ପୃଶ୍ୟତାରେ ବିଶ୍ବାସ କରୁନଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପାଇଁ ସେ ସର୍ବଦା ଜଣେ ମାର୍ଗଦର୍ଶକ ଭଳି ଥିଲେ ଏବଂ ସଂଘ ପ୍ରତି ବିପୁଳ ଶ୍ରଦ୍ଧା ରଖୁଥିଲେ ବୋଲି ଭାଗବତ କହିଛନ୍ତି।

ଭାରତୀୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟିହେଲା: ଶାହ
ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ମୋତେ ଗଭୀର ଭାବେ ମର୍ମାହତ କରିଛି ବୋଲି କହିଛନ୍ତି ଦେଶର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଣବ ଜଣେ ବ୍ୟାପକ ଅଭିଜ୍ଞତା ସମ୍ପନ୍ନ ନେତା ଥିଲେ। ଅତ୍ୟନ୍ତ ନିଷ୍ଠାର ସହ ଦେଶ ଦେଶମାତୃକାର ସେବା କରିଥିଲେ। ପ୍ରଣବଦା’ଙ୍କ ଉଜ୍ଜ୍ବଳ କ୍ୟାରିୟର ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଦେଶପ୍ରତି ତାଙ୍କର ଅବିସ୍ମରଣୀୟ ସେବା ଓ ଯୋଗଦାନ ପାଇଁ ସେ ସବୁଦିନେ ମନେରହିବେ। ତାଙ୍କର ମୃତ୍ୟୁ ଭାରତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଏହି ଅପୂରଣୀୟ କ୍ଷତି ପାଇଁ ମୁଁ ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ଗଭୀର ସମବେଦନା ଜଣାଉଛି।

ନେପାଳ ଜଣେ ବଡ଼ ବନ୍ଧୁଙ୍କୁ ହରାଇଲା: କେପି ଶର୍ମା ଓଲି
ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ମୁଖାର୍ଜୀଙ୍କ ବିୟୋଗରେ ନେପାଳ ଜଣେ ବହୁତ ବଡ଼ ବନ୍ଧୁଙ୍କୁ ହରାଇଲା। ଭାରତ-ନେପାଳ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନକୁ ଆଜି ଆମେ ସ୍ମରଣ କରୁଛୁ ବୋଲି ଓଲି କହିଛନ୍ତି। ଭାରତ ସରକାର ଏବଂ ଶୋକସନ୍ତପ୍ତ ପରିବାରକୁ ଆମେ ଗଭୀର ସମବେଦନା ଜଣାଉଛୁ ବୋଲି ସେ କହିଛନ୍ତି।

ଦକ୍ଷିଣ ଏସିଆ ପାଇଁ ବଡ଼ କ୍ଷତି: ଇବ୍ରାହିମ୍‌ ମହମ୍ମଦ୍‌ ସୋଲି
ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ୍‌ ସୋଲି କହିଛନ୍ତି, ପ୍ରଣବ ମୁଖାର୍ଜୀଙ୍କ ବିୟୋଗ କେବଳ ଭାରତର ନୁହେଁ, ସମଗ୍ର ଦକ୍ଷିଣ ଏସିଆ ପାଇଁ ଏକ ବଡ଼ କ୍ଷତି। ଜଣେ ମହାନ ଜନସେବକ ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ମାଳଦ୍ବୀପ ରାଷ୍ଟ୍ରପତି କହିଛନ୍ତି।

ପ୍ରଣବ ଦା’ ନଥାଇ ଦିଲ୍ଲୀ ଗସ୍ତ କଳ୍ପନା ବାହାରେ: ମମତା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଆମକୁ ଛାଡ଼ି ଚାଲିଗଲେ। ତାଙ୍କର ବିୟୋଗରେ ଏକ ଯୁଗର ଅବସାନ ଘଟିଲା। ପ୍ରଣବ ଦା’ଙ୍କ ଅନେକ ସ୍ମୃତିକୁ ଏବେ ଆମେ ମନେ ପକାଉଛୁ। ପ୍ରଣବ ଦା’ ନଥାଇ ଦିଲ୍ଲୀ ଗସ୍ତ କରିବା କଥା କଳ୍ପନା କରିହେଉନାହିଁ। ରାଜନୀତିଠାରୁ ଅର୍ଥନୀତି ପର୍ଯ୍ୟନ୍ତ ସବୁ ବିଷୟରେ ତାଙ୍କର ଗଭୀର ଜ୍ଞାନ ଥିଲା ବୋଲି ମମତା କହିବା ସହ ପୁଅ ଅଭିଜିତ ଏବଂ ଝିଅ ଶର୍ମିଷ୍ଠାଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଜ୍ଞାନର ଭଣ୍ଡାର ଥିଲେ: ଓମ୍‌ ବିର୍ଲା
ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ମହାନ ରାଜନେତା ସହିତ ଏକ ଜ୍ଞାନର ଭଣ୍ଡାର ମଧ୍ୟ ଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନକୁ ବ୍ୟକ୍ତିଗତ ଜୀବନରୁ ସର୍ବଦା ପୃଥକ୍‌ ରଖୁଥିଲେ। ଜଣେ ଅତ୍ୟନ୍ତ ଅନୁଭବୀ ପ୍ରଶାସକ ଭାବେ ତାଙ୍କ ଦ୍ବାରା ସମ୍ପର୍ଣ୍ଣ ବିଭିନ୍ନ କାର୍ଯ୍ୟ ଅତୀବ ପ୍ରଶଂସନୀୟ।

ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା: ରାହୁଲ
ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାହୁଲ କହିଛନ୍ତି, ମୁଁ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

ଦେଶ ଓ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲେ ପ୍ରଣବ: ସୋନିଆ
ପାଞ୍ଚ ଦଶନ୍ଧିରୁ ଊର୍ଧ୍ବ ସମୟ ଧରି ପ୍ରଣବ ମୁଖାର୍ଜୀ ଦେଶ, କଂଗ୍ରେସ ଦଳ ଏବଂ କେନ୍ଦ୍ର ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଅଂଶ ରହିଥିଲେ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ପ୍ରଣବ ଯେଉଁସବୁ ପଦପଦବିରେ ରହିଥିଲେ ତାହାର ସ୍ବତନ୍ତ୍ରତା ଆଣିଥିଲେ। ଅତ୍ୟନ୍ତ ଉତ୍ସର୍ଗ ମନୋଭାବ ସହିତ ପ୍ରଣବ ଦେଶର ସେବା କରିଥିଲେ। ତାଙ୍କର ୫୦ ବର୍ଷର ସାଧାରଣ ଜୀବନ ଭାରତ ଇତିହାସର ୫୦ ବର୍ଷକୁ ପ୍ରତିଫଳିତ କରିଛି ବୋଲି ସୋନିଆ କହିଛନ୍ତି।

ସମ୍ବନ୍ଧିତ ଖବର