ବିଦାୟ ପ୍ରଣବ ଦା’ ! ରାଜନୀତି ବିଜ୍ଞାନ ଅଧ୍ୟାପନାରୁ ଦେଶର ଲୋକପ୍ରିୟ ରାଜନେତା

ପ୍ରଣବ ମୁଖାର୍ଜ୍ଜୀ ( ୧୯୩୫-୨୦୨୦)

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଦେଶର ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କର ପ୍ରିୟ। ପୁଣି ରାଜନୈତିକ ଜୀବନରେ ଥିଳେ ଅଜାତଶତ୍ରୁ। କେବଳ ସେତିକି ନୁହେଁ, ଜଣେ ରାଜନେତା ଭାବେ ସେ ଥିଲେ ସଂକଟ ମୋଚକ। ସର୍ବୋପରି ସେ ଥିଲେ ବ୍ୟକ୍ତିଗତ ଜୀବନରେ ଜଣେ ବନ୍ଧୁବତ୍ସଳ, ସାହାଯ୍ୟକାରୀ ଏବଂ ମିଷ୍ଟଭାଷୀ ମଣିଷ।

ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ୨୦୧୨ ରୁ୨୦୧୭ ପର୍ଯ୍ୟନ୍ତ କ୍ଷମତାରେ ଥିବା ପ୍ରଣବ ମୁଖାର୍ଜୀ ସୋମବାର ଅପରାହ୍ଣରେ ପରଲୋକ ଗମନ କରିଛନ୍ତି। ଶ୍ରୀ ମୁଖାର୍ଜୀ ଜଣେ ଏ ଭଳି ରାଜନେତା ଥିଲେ ଯାହାଙ୍କୁ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା- ସମସ୍ତେ ସମ୍ମାନ ‌କରିବା ସହ ପ୍ରଶଂସା କରୁଥିଲେ।

୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ମିରାତି ଗାଁ’ରେ ଏକ ବଙ୍ଗଭାଷୀ ପରିବାରେ ଶ୍ରୀ ମୁଖାର୍ଜୀ ଜନ୍ମ ଗ୍ରହଣ କରିଥିଲେ। କାଲ୍‌କାଟା ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନ ଏବଂ ଇତିହାସରେ ସ୍ନାତକତ୍ତୋର କରିବା ସହ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଥିଲେ। ପଢ଼ା ଶେଷ ହେବା ପରେ ସେ ଜଣେ କଲେଜ ଶିକ୍ଷକ ଏବଂ ସାମ୍ବାଦିକ ଭାବ‌େ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ପ୍ରଣବଙ୍କ ପିତା କେ କେ ମୁଖାର୍ଜୀ ମଧ୍ୟ୍ୟ ଜଣେ କଂଗ୍ରେସ ନେତା ଭାବ‌େ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଅନେକ କଷ୍ଟ ସ୍ବୀକାର କରିଥିଲେ। ଅନେକ ଥର ତାଙ୍କୁ ଜେଲ୍ ପଠାଯାଇଥିଲା। ସ୍ବାଧୀନତା ପ୍ରାପ୍ତି ପରେ ସେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇ ୧୯୫୨ରୁ ୧୯୬୫ ଯାଏଁ ବିଧାୟକ ଥିଲେ।

ଶ୍ରୀ ମୁଖାର୍ଜୀଙ୍କ ଦୀର୍ଘ ରାଜନୈତିକ ଜୀବନ ପ୍ରାୟ ୫ ଦଶନ୍ଧିକୁ ବ୍ୟାପିଛି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପିଭି ନରସିଂହ ରାଓ ଏବଂ ମନମୋହନ ସିଂହଙ୍କ ଭଳି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ସରକାରରେ କେତେଗୁଡ଼ିଏ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଥିଲେ। ୧୯୭୨ରେ ସେ ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀ ପରି‌ଷଦ୍‌ରେ ସ୍ଥାନ ପାଇଥିଲେ। ଏହି ପାଞ୍ଚ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ସେ ଜଣେ ସମ୍ମାନଜନକ ନେତା ଭାବେ ସର୍ବତ୍ର ପ୍ରଶସିଂତ ହୋଇଥିଲେ। ତାଙ୍କୁ ରାଜନୈତିକ ଓ ସାଧାରଣ ବ୍ୟକ୍ତିବିଶେଷ ଖୁବ୍ ଆଦର କରୁଥିଲେ। ଜଣେ କଂଗ୍ରେସ ବ୍ୟକ୍ତି ହିସାବରେ ସେ କଂଗ୍ରେସ ୱାର୍କିଙ୍ଗ୍ କମିଟିରେ ୨୩ ବର୍ଷ କାଳ ସଦସ୍ୟ ଥିଲେ।

Image Courtesy of India Today

୧୯୬୯ ମସିହାରୁ ସେ ପାଞ୍ଚ ଥର ରାଜ୍ୟସଭାର ସଦସ୍ୟ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ ଦୁଇ ଥର ପଶ୍ଚିମବଙ୍ଗର ଜାଙ୍ଗିପୁର ନିର୍ବଚାନ ମଣ୍ଡଳୀରୁ ଲୋକସଭାର ସଦସ୍ୟ ହୋଇଥିଲେ। ତୀକ୍ଷ୍ମ ସ୍ମୃତିଶକ୍ତି, ଭାବନାରେ ସ୍ପଷ୍ଟତା ଏବଂ ସମସ୍ୟାକୁ ଧରିପାରୁଥିବା ଶ୍ରୀ ମୁଖାର୍ଜୀ ଦେଶର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ଯୋଜନା କମିସନ୍‌ର ଉପାଧ୍ୟକ୍ଷ ମଧ୍ୟ ଥିଲେ।

ରାଷ୍ଟ୍ରପତି ଥିବା ସମୟରେ ସେ ଦୁଇଜଣ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ନରେନ୍ଦ୍ର ମୋଦୀଙ୍କ ସହ କାମ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଅତି ଚମତ୍କାର ଥିଲା। ବିଜେପି ତାଙ୍କୁ ତୀବ୍ର ବିରୋଧ କରୁଥିଲେ ବି ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମଧ୍ୟରେ ସୁସମ୍ପର୍କ ଥିଲା ଏବଂ ସର୍ବସାଧାରଣରେ ଉଭୟ ଉଭୟଙ୍କର ପ୍ରଶଂସା କରୁଥିଲେ।

୧୯୭୩-୭୪ରେ ଶ୍ରୀ ମୁଖାର୍ଜୀ ଉପରାଷ୍ଟ୍ର ଓ ରାଷ୍ଟ୍ର ପାହ୍ୟା ଅର୍ଥମନ୍ତ୍ରୀ ହେବା ପରେ ୧୯୮୨ରେ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ସେ ମନମୋହନ ସିଂହଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍ ଭାବେ ନିଯୁକ୍ତି ଦେଇଥିଲେ। ଅର୍ଥାତ୍ ସେ ତାଙ୍କ ନିଯୁକ୍ତି ପତ୍ରରେ ସ୍ବାକ୍ଷର କରିଥିଲେ।

ବହୁ ପୁସ୍ତକ ଅଧ୍ୟୟନ କରିଥିବା ମୁଖାର୍ଜୀ କେତୋଟି ପୁସ୍ତକ ମଧ୍ୟ ରଚନା କରିଥିଲେ। ବଳକା ସମୟରେ ସେ ଉଦ୍ୟାନ କାମ ଓ ସଙ୍ଗୀତରେ ରୁଚି ରଖୁଥିଲେ। କଳା ଓ ସଂସ୍କୃତିର ମଧ୍ୟ ସେ ଥିଲେ ଜଣେ ପୃଷ୍ଠପୋଷକ। ୨୦୦୮ରେ ତାଙ୍କୁ ‘ପଦ୍ମ ବିଭୁଷଣ’ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୯ରେ ରାଷ୍ଟ୍ରପତି ଭବନରେ ଭବ୍ୟ ସମରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର