ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଛି। ପ୍ରଣବଙ୍କ ସହିତ ବିଶିଷ୍ଟ ସମାଜସେବୀ ନାନାଜୀ ଦେଶମୁଖ (ମରଣୋତ୍ତର) ଏବଂ ମହାନ ସଂଗୀତଜ୍ଞ ଭୂପେନ ହଜାରିକା (ମରଣୋତ୍ତର)ଙ୍କୁ   ମଧ୍ୟ ଏହି  ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ  ଘୋଷଣା କରିଛନ୍ତି।

ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନାମ ଭାରତ ରତ୍ନ ପାଇଁ ଘୋଷଣା କରାଯିବା ସମସ୍ତଙ୍କୁ ଚମକାଇ ଦେଇଛି। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିବା ପ୍ରଣବ କଂଗ୍ରେସର ଜଣେ ବରିଷ୍ଠ ନେତା  ଏବଂ କଂଗ୍ରେସ ସରକାରରେ ସେ  ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ପଦ ମଧ୍ୟ ଅଳଙ୍କୃତ କରିଛନ୍ତି।  ୧୯୮୪ରେ  ସେ ଦେଶର ଅର୍ଥମନ୍ତ୍ରୀ ଥିଲେ। ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ ୧୯୯୫ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ। କଂଗ୍ରେସର ଆଗଧାଡ଼ିର ନେତା ପ୍ରଣବ ଗତ ବର୍ଷ ଆରଏସ୍‌ଏସ୍‌ର ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି ପ୍ରଣବ ମୁଖାର୍ଜୀଙ୍କ ଦେଶ ପ୍ରତି ଅବଦାନକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଣବ ଦା ଆମ ସମୟର ଜଣେ ଶ୍ରେଷ୍ଠ ରାଜନେତା। ଦେଶପାଇଁ ସେ ନିଃସ୍ବାର୍ଥ ସେବା କରିଛନ୍ତି ଏବଂ ଦେଶର ବିକାଶରେ ନିଜର ଗଭୀର ଛାପ ଛାଡ଼ିଛନ୍ତି। ତାଙ୍କର ଜ୍ଞାନ ଏବଂ ବୌଦ୍ଧିକତା ଅତୁଳନୀୟ ହୋଇଥିବାରୁ ତାଙ୍କୁ ଭାରତ ରତ୍ନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ନାନାଜୀ ଦେଶମୁଖ ତାଙ୍କ ଜୀବନ ସମାଜ‌ସେବା ପାଇଁ ସମର୍ପିତ କରିଦେଇଥିଲେ। ଗ୍ରାମୀଣ ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅବିସ୍ମରଣୀୟ।  ଭାରତୀୟ ଜନସଂଘ‌ ସହିତ ସଂପୃକ୍ତ ଏହି  ସମାଜସେବୀଙ୍କୁ ୧୯୭୭ରେ ଜନତା ପାର୍ଟି ସରକାର ଗଠନ ହେବାପରେ  ତାଙ୍କୁ ମନ୍ତ୍ରୀପଦ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିଲେ  ଏବଂ ଜୀବନ ବ୍ୟାପୀ ସମାଜସେବାରେ ନିଷ୍ଠାର ସହ ନିଜକୁ ନିୟୋଜିତ କରିଥିଲେ।   ଅଟଳ ବିହାରୀ ବାଜପେୟୀଙ୍କ ସରକାର ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ। ବାଜପେୟୀଙ୍କ କାର୍ଯ୍ୟକାଳରେ ହିଁ ଭାରତ ସରକାର ତାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗ୍ରାମୀଣ  ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ପଦ୍ମ ବିଭୂଷଣ’ ପ୍ରଦାନ କରିଥିଲେ। ନାନାଜୀଙ୍କ ଜନ୍ମ ମହାରାଷ୍ଟ୍ରର ହିଂଗୋଲି ଜିଲ୍ଲାରେ ଏକ ମରାଠା ପରିବାରରେ ହୋଇଥିଲା। ୧୯୪୦ରେ ଡ. ହେଗଡ଼େୱାରଙ୍କ ପରଲୋକ ପରେ ନାନାଜୀ ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଘରେ ନିଜକୁ ସାମିଲ କରି ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ୨୭ ଫେବ୍ରୁଆରି ୨୦୧୦ରେ ନାନାଜୀଙ୍କ ପରଲୋକ ଘଟିଥିଲା।

ସେହିଭଳି ଆସାମର ପ୍ରସିଦ୍ଧ ଲୋକ ଗାୟକ ତଥା ସଂଗୀତଜ୍ଞ ଭୂପେନ ହଜାରିକା ତାଙ୍କର ଅସାଧାରଣ ପ୍ରତିଭା ଦ୍ବାରା ଦେଶ ବିଦେଶରେ ବିପୁଳ ସମ୍ମାନର ଅଧିକାରୀ।  ନିଜର ମୂଳଭାଷା ବ୍ୟତୀତ ସେ ହିନ୍ଦୀ, ବଂଗଳା ସମେତ ଅନେକ ଭାରତୀୟ ଭାଷାରେ ସଂଗୀତ ପରିବେଷଣ କରି ଆସିଛନ୍ତି। ସେ ଫିଲ୍ମ ‘ଗାନ୍ଧୀ ଟୁ ହିଟ୍‌ଲର’ରେ ମହାତ୍ମା ଗାନ୍ଧୀଙ୍କ ପସନ୍ଦର ଭଜନ ‘ବୈଷ୍ଣବ ଜନ’ ଗାଇଥିଲେ। ତାଙ୍କୁ ପୂର୍ବରୁ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।  ୧୯୨୬ରେ ଆସାମର ତିନ୍‌ସୁକିଆ ଜିଲ୍ଲାରେ ଜନ୍ମିତ ହଜାରିକାଙ୍କ ବିୟୋଗ ନଭେମ୍ବର ୨୦୧୧ରେ ହୋଇଥିଲା।

ସମ୍ବନ୍ଧିତ ଖବର