ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥାରେ ଆସୁନି ସୁଧାର; ଅବସ୍ଥା ଏବେ ବି ଗୁରୁତର : ହସ୍ପିଟାଲ ବୁଲେଟିନ୍‌

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଏବେବି ଗୁରୁତର ରହିଛି। ସେ ଏବେ ଭେଣ୍ଟିଲେଟର ସହାୟତା ଉପରେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ଆଜି (ବୁଧବାର) ସନ୍ଧ୍ୟାରେ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି।

ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ସୋମବାର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଭେଣ୍ଟିଲେଟର ସହାୟତାରେ ରହିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସ୍ୱାସ୍ଥାବସ୍ଥାରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇନାହିଁ। ବରଂ ବେଳୁ ବେଳ ତାହା ଅଧିକ ଖରାପ ହେଉଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି। ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅହରହ ନିରୀକ୍ଷଣରେ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଶ୍ରୀ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟତମ ଉନ୍ନତି ହୋଇ ନ ଥିବା ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶ୍ରୀ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ଏବଂ ଏ ସଂପର୍କରେ ନିଜେ ଶ୍ରୀ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର