ପଞ୍ଚଭୂତରେ ବିଲୀନ ପ୍ରଣବ

କ୍ୟାବିନେଟରେ ଦୁଇ ମିନିଟ ନିରବ ପ୍ରାର୍ଥନା
କୋଭିଡ୍‌ ପାଇଁ ଶରୀରକୁ ଭ୍ୟାନ୍‌ରେ ନିଆଗଲା
ମୁଖାଗ୍ନି ଦେଲେ ପୁଅ ଅଭିଜିତ୍‌

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଯାଇଛି। ଗତକାଲି ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ପ୍ରଣବ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଆଜି ସକାଳୁ ତାଙ୍କ ମରଶୀରରକୁ ୧୦, ରାଜାଜୀ ମାର୍ଗସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିଡିଏସ ଜେନେରାଲ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ, ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ସାଲ ଆର. କେ. ଏସ. ଭଦୁରିଆ, ପ୍ରତିରକ୍ଷା ସଚିବ ଡ ଅଜୟ କୁମାର, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରମୁଖ ପହଞ୍ଚି ‌ପ୍ରଣବଙ୍କ ଶେଷ ଦର୍ଶନ କରିଥିଲେ।

ummid.com

ଏହାପରେ ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ୍‌ ସ୍ଥିତ ଶବ ସତ୍କାର ସ୍ଥଳକୁ ନିଆଯାଇ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। କୋଭିଡ କଟକଣା ଯୋଗୁଁ କମ୍‌ ସଂଖ୍ୟକ ଆତ୍ମୀୟ ସ୍ବଜନ ଶେଷକୃତ୍ୟରେ ଯୋଗଦେଇଥିଲେ। ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରଣବଙ୍କ ମରଶରୀରକୁ ଏକ ସଶସ୍ତ୍ର ଯାନରେ ଅଣାଯିବା ବ୍ୟବସ୍ଥା ଥିଲେ ମଧ୍ୟ କୋଭିଡ ପାଇଁ ଏକ ସାଦା ଶବବାହୀ ଭ୍ୟାନ୍‌ରେ ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ ସେନାବାହିନୀ ପକ୍ଷରୁ ତୋପ ସଲାମୀ ଦିଆଯିବା ପରେ ଏକ ବିଦ୍ୟୁତ୍‌ ଚୁଲ୍ଲାରେ ପାର୍ଥିବ ଶରୀରକୁ ଦାହ କରାଯାଇଥିଲା। ପୁଅ ଅଭିଜିତ୍‌ ମୁଖାର୍ଜୀ ମୁଖାଗ୍ନି ଦେଇଥିଲେ।

The Asian Age

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ପ୍ରଣବଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ପ୍ରଣବଙ୍କ ପରଲୋକରେ ପଡ଼ୋଶୀ ବାଂଲାଦେଶ ବୁଧବାର ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଶେଖ ହାସିନାଙ୍କ ସରକାର ଘୋଷଣା କରିଛନ୍ତି। ଦୀର୍ଘ ୨୧ ଦିନ ଧରି ଡାକ୍ତରଖାନରେ ଜୀବନ ସହ ଲଢ଼େଇ କରିବା ପରେ ଗତକାଲି ବରିଷ୍ଠ ରାଜନେତା ପ୍ରଣବଙ୍କର ଗତକାଲି ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର