ସୁଧୁରିଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା, ଶୀଘ୍ର ଫେରିବେ ବୋଲି ଟୁଇଟ୍ କରି ଜଣାଇଲେ ପୁଅ ଅଭିଜିତ୍

ନୂଆଦିଲ୍ଲୀ: ମସ୍ତିଷ୍କ ଅସ୍ତ୍ରୋପଚାର ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହୋଇନଥିଲା। ସେ କୋମାକୁ ଚାଲି ଯାଇଥିବା ବେଳେ ତାଙ୍କର ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଥିଲେ। କିଛି ଦିନ ପରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ଏବେ ବି ସେ ଭେଣ୍ଟିଲେଟର ସହାୟତାରେ ଥିବା ଜଣା ପଡ଼ିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟୁଇଟ୍ କରି ଜଣାଇଛନ୍ତି।

ଟୁଇଟରେ, ଗତକାଲି ମୁଁ ବାପାଙ୍କୁ ଡାକ୍ତରଖାନାକୁ ଭେଟିବା ପାଇଁ ଯାଇଥିଲି। ଈଶ୍ବରଙ୍କ କୃପା ଏବଂ ଆପଣ ସମସ୍ତଙ୍କ ଶୁଭେଚ୍ଛା ପାଇଁ ସେ ପୂର୍ବ ଦିନ ଅପେକ୍ଷା ବହୁତ ଭଲ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାଙ୍କ ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଛି ଏବଂ ସେ ସୁସ୍ଥ ହେବା ଆରମ୍ଭ କରିଛନ୍ତି।  ଆମର ଦୃଢ଼ ବିଶ୍ବାସ ଯେ, ସେ ଖୁବ ଶୀଘ୍ର ଆମ ପାଖକୁ ଫେରିବେ ବୋଲି ଲେଖିଛନ୍ତି ଅଭିଜିତ ମୁଖାର୍ଜୀ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ଏବଂ ଏ ସଂପର୍କରେ ନିଜେ ପ୍ରଣବ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର

Comments are closed.