ଅସୁସ୍ଥ ହେବାର କିଛି ଦିନ ପୂର୍ବରୁ ପୁଅଙ୍କୁ ଗାଁର ପଣସ ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଥିବା କୁହାଯାଉଛି। ଏଭଳି ସ୍ଥିତିରେ ତାଙ୍କ ସଂପର୍କରେ ଏକ ରୋଚକ କଥା ଜଣାଯାଇଛି। ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ତଥା ପଶ୍ଚିମବଙ୍ଗର କଂଗ୍ରେସ ନେତା ଅଭିଜିତ୍ ମୁଖାର୍ଜୀ କହିଛନ୍ତି ଯେ ପିତା କିଛି ଦିନ ତଳେ ବେଶ୍ ସୁସ୍ଥ ଥିଲେ।

image source-indiatv news

ପ୍ରଣବ ମୁଖାର୍ଜୀ ତାଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କର ଗାଁ କଥା ଖୁବ୍ ମନେ ପଡ଼ୁଛି। ବିଶେଷ କରି ଗାଁର ପଣସ ଖାଇବାକୁ ଇଚ୍ଛା ହେଉଛି। ଏହାପରେ ଅଭିଜିତ୍ କୋଲକାତାରୁ ତୁରନ୍ତ ବୀରପୁର ଜିଲ୍ଲାର ନିଜର ପୈତୃକ ଗାଁ ମିରାତିକୁ ଯାଇଥିଲେ। ସେଠାରୁ ଏକ ୨୫ କିଲୋଗ୍ରାମ୍ ଓଜନର ପଣସ ଧରି ଗତ ୩ ତାରିଖରେ କୋଲକାତାରୁ ଟ୍ରେନ୍ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିଥିଲେ। ସେଠାରେ ପହଞ୍ଚି ବାପାଙ୍କୁ ତାଙ୍କର ଅତି ପ୍ରିୟ ପଣସ ଖାଇବାକୁ ଦେଇଥିଲେ। ପ୍ରଣବ ମୁଖାର୍ଜୀ ଖୁବ୍ ଖୁସିରେ କିଛି ପଣସ ଖାଇଥିଲେ। ସେତେବେଳ ତାଙ୍କର ସୁଗାର ବଢି ନଥିଲା। କିନ୍ତୁ ଏହାର କିଛି ଦିନ ପରେ ବାପା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଅଭିଜିତ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ଏବଂ ଏ ସଂପର୍କରେ ନିଜେ ଶ୍ରୀ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର