ଆରଏସ୍‌ଏସ୍‌ ପାଇଁ ନାଗପୁରରେ ପ୍ରଣବ : ଝିଅ ଶର୍ମିଷ୍ଠାଙ୍କ ବିରୋଧ

ନାଗପୁର : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ନାଗ୍‌ପୁରରେ ଆସି ପହଞ୍ଚିଛନ୍ତି। ଆସନ୍ତାକାଲି ସେ ଆରଏସଏସ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଆରଏସଏସ୍‌ କାର୍ଯ୍ୟକ୍ରମରେ ସେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। ପ୍ରଣବ ଜଣେ ବୟୋଜ୍ୟେଷ୍ଠ କଂଗ୍ରେସ ନେତା ହୋଇଥିବାରୁ ତାଙ୍କର ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗଦାନକୁ ଆରଏସ୍‌ଏସ୍‌-ବିରୋଧୀ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ତାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରଣବ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ସେ ଯୋଗଦେବେ ଏବଂ ଯାହା କହିବା କଥା ସେଇଠି କହିବେ। ତେଣୁ ଆରଏସଏସ୍‌ର ନାଗପୁର ମୁଖ୍ୟାଳୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସେ କଣ କହିବେ ତାହା ଉପରେ ଦେଶବାସୀଙ୍କର ନଜର ରହିଛି।

ତେବେ ପ୍ରଣବ ମୁଖାର୍ଜୀ ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନାଗପୁର ଯାଇଥିବାରୁ ଏହାର ଦୃଢ଼ ବିରୋଧ କରିଛନ୍ତି ତାଙ୍କର ଝିଅ ଶର୍ମିଷ୍ଠା ମୁଖାର୍ଜୀ। ଟୁଇଟ୍‌ ଜରିଆରେ ସେ ତାଙ୍କ ପିତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହାର ପରିଣାମ କଣ ହେବ ତାହା ପ୍ରଣବ ବୁଝି ପାରୁ ନାହାନ୍ତି। ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ସେ କଣ ଭାଷଣ ଦେବେ ତାହା ସମସ୍ତେ ଭୁଲିଯିବେ। କିନ୍ତୁ ତାଙ୍କ ଏହି କାର୍ଯ୍ୟକ୍ରମର ଭିଡିଓ ସବୁଦିନ ପାଇଁ ରହିଯିବ। ଆରଏସ୍‌ଏସ୍‌ ଏବଂ ବିଜେପି ଏହି ଭିଡିଓକୁ କଦର୍ଥ କରି ନିଜକୁ ସୁହାଇଲା ଭଳି ଢଙ୍ଗରେ ଉପସ୍ଥାପିତ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ ବିଜେପି ଓ ସଂଘ ପରିବାରକୁ ମିଥ୍ୟା କଥା ପ୍ରଚାର କରିବା ଲାଗି ସୁଯୋଗ ଦେଇଛନ୍ତି। ଯାହା ଆଜିର ଏକ ଗୁଜବରୁ ପ୍ରମାଣ ମିଳିଯାଉଛି। ସେ କହିଛନ୍ତି, ‘ଆଜି ରାଜନୈତିକ ମହଲରେ ଗୁଜବ ପ୍ରଚାରିତ ହେଉଛି ଯେ ମୁଁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଯାଉଛି। ଏଭଳି ଗୁଜବ ପଛରେ ସଂଘ ପରିବାରର ହାତ ରହିଛି। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ରାଜନୀତି ଛାଡ଼ିଦେବି ପଛେ କଂଗ୍ରେସ ଛାଡ଼ିବି ନାହିଁ।’ ସେ ଆହୁରି କହିଛନ୍ତି ଯେ ଆରଏସ୍‌ଏସ୍‌ ନେତା ଭଲ ଭାବେ ଜାଣନ୍ତି ଯେ ପ୍ରଣବ ସେମାନଙ୍କ ଆଦର୍ଶକୁ ସମର୍ଥନ କରିବେ ନାହିଁ। କନ୍ତୁ ସେମାନେ ପ୍ରଣବଙ୍କ ଭିଡିଓ ସହିତ ଅଲଗା ଭାଷଣ ଯୋଡ଼ି ମିଥ୍ୟା କଥାର ପ୍ରଚାରରେ ଲାଗିଯିବେ। ଆଜିର ଗୁଜବରୁ ପ୍ରଣବ ଶିକ୍ଷା ହାସଲ କରନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶର୍ମିଷ୍ଠା ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ମହିଳା କଂଗ୍ରେସର ସଭାନେତ୍ରୀ ଅଛନ୍ତି।

ସମ୍ବନ୍ଧିତ ଖବର