ସୁଧୁରୁଛି ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା, ସୂଚନା ଦେଲା ହସ୍ପିଟାଲ୍

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର୍‌ରେ ରହିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଦିଲ୍ଳୀର ଆର୍ମି ରିସର୍ଚ ଆଣ୍ଡ୍‌ ରେଫେରାଲ ହସ୍ପିଟାଲ୍‌ ପକ୍ଷରୁ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସୁଛି ବୋଲି କୁହାଯାଇଛି।

ବୁଧବାର ଦିନ ପ୍ରଣବ ଫୁସ୍‌ଫୁସ୍‌ ସଂକ୍ରମଣର ଶିକାର ହୋଇ ଗୁରୁତର ହୋଇପଡ଼ିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ପୂର୍ବ ପରି ଭେଣ୍ଟିଲେଟରରେ ରଖାଯିବା ସହ ଦଳେ ବିଶେଷଜ୍ଞ ଡାକ୍ତର ନିରନ୍ତର ନିରୀକ୍ଷଣ କରୁଛନ୍ତି ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଥିଲା।


The Indian Express

ଅନ୍ୟପକ୍ଷରେ ତାଙ୍କ ପୁଅ ପ୍ରାକ୍ତନ ସାଂସଦ ଅଭିଜିତ୍‌ ମୁଖାର୍ଜୀ କିନ୍ତୁ ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ବୁଧବାର ଗଣମାଧ୍ୟମରେ କହିଥିଲେ। ତାଙ୍କର ଗୁରୁତ୍ବପୂର୍ଣ୍ଣ ଶାରୀରିକ ଲକ୍ଷଣଗୁଡ଼ିକ ସ୍ଥିର ତଥା ନିୟନ୍ତ୍ରଣାଧୀନ ରହିଛି ବୋଲି ଅଭିଜିତ୍‌ ଜଣାଇବା ସହ ପିତାଙ୍କର ଆରୋଗ୍ୟ ଲାଭ ପାଇଁ ଅନ୍ୟମାନେ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖ ସକାଳେ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ ନୂଆଦିଲ୍ଲୀର ରାଜାଜୀମାର୍ଗସ୍ଥିତ ବାସଭବନରେ ବୁଲୁଥିବା ବେଳେ ତଳେ ଖସି ପଡ଼ିବାରୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ମସ୍ତିଷ୍କରୁ ଉକ୍ତ ରକ୍ତପିଣ୍ଡୁଳାକୁ ବାହାର କରିବା ଲାଗି ସେ ଗତ ସୋମବାର ଅସ୍ତ୍ରୋପଚାର ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ପରୀକ୍ଷା ନିରୀକ୍ଷା ବେଳେ ସେ କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ସେବେଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର