ଲକ୍ଷ୍ନୌ: ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୬ରେ ଅଯୋଧ୍ୟା ବାବ୍ରି ମସଜିଦର ତାଲା ଖୋଲିବାକୁ ଅନୁମତି ଦେଇଥିବାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ମୁଖାର୍ଜୀ ଭାବୁଥିଲେ ଯେ ଏହି ପଦକ୍ଷେପ କେବଳ କଂଗ୍ରେସର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ ନାହିଁ, ବରଂ ଶାସନରେ ଧର୍ମ ଓ ଭୋଟ୍ ବ୍ୟାଙ୍କ ରାଜନୀତିର ମିଶ୍ରଣର ଏକ ଖରାପ ପରମ୍ପରା ସୃଷ୍ଟି କରିବ।
ମଙ୍ଗଳବାର ଉତ୍ତରପ୍ରଦେଶର ଗୋମତୀନଗରଠାରେ ୟୁନିଭର୍ସାଲ ବୁକ୍ସେଲର ଦ୍ବାରା ଆୟୋଜିତ ଏକ ଆଲୋଚନାଚକ୍ରରେ ଭାଗ ନେଇ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏହି ମତ ରଖିଛନ୍ତି। କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ପ୍ରକାଶ କରିଛନ୍ତି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳାପତି ତ୍ରିପାଠୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠିକୁ ଅଣଦେଖା କରିଥିବାରୁ ରାଜୀବ ଗାନ୍ଧିଙ୍କ ଉପରେ ତାଙ୍କ ବାପା ଅସନ୍ତୁଷ୍ଟ ଥିଲେ। ଏପରିକି ମସଜିଦ ଭାଙ୍ଗିବା ଘଟଣାକୁ ସେ ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିବା ସହ ଭବିଷ୍ୟତରେ ଏହା ହିନ୍ଦୀ ଅଞ୍ଚଳରେ କଂଗ୍ରେସକୁ ଗଭୀର କ୍ଷତି ପହଞ୍ଚାଇବ ବୋଲି ପୂର୍ବାନୁମାନ କରିଥିଲେ। ତାଙ୍କ ଡାଏରିରେ ଥିବା ନୋଟ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପୂରା ଘଟଣାରେ ସେ ଅତ୍ୟନ୍ତ ବ୍ୟଥିତ ଥିଲେ। ଆଉ ରଥଯାତ୍ରା ଓ କରସେବକଙ୍କ ଅପେକ୍ଷା ତାଲା ଖୋଲିବାକୁ ଅନୁମତି ଦେଇଥିବାରୁ ରାଜୀବ ଗାନ୍ଧିଙ୍କ ଉପରେ ସେ ଅଧିକ ଅସନ୍ତୁଷ୍ଟ ଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି।
ଶର୍ମିଷ୍ଠାଙ୍କ ଏହି ବୟାନ ତାଙ୍କ ପିତାଙ୍କ ଡାଏରି ଲେଖା ଉପରେ ଆଧାରିତ, ଯେଉଁଥିରେ ଗତ ୫୦ ବର୍ଷର ଭାରତୀୟ ରାଜନୀତିର ଝଲକ ରହିଛି। ଏହି ଡାଏରିକୁ ଆଧାର କରି ଶର୍ମିଷ୍ଠା ତାଙ୍କ ପିତାଙ୍କ ଜୀବନୀ ଲେଖିଛନ୍ତି, ଯାହାର ଶୀର୍ଷକ ରହିଛି ‘ପ୍ରଣବ, ମାଇଁ ଫାଦର’। ଶର୍ମିଷ୍ଠା କହିଛନ୍ତି ଯେ ତାଙ୍କ ପିତାଙ୍କର ଦିନେ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ଥିଲା। ତେବେ ସେ ଜଣେ ବାସ୍ତବବାଦୀ ବ୍ୟକ୍ତି ଥିଲେ ଏବଂ ଏହା ଘଟିବାର ସମ୍ଭାବନା କମ୍ ବୋଲି ଅନୁମାନ କରିପାରୁଥିଲେ। ଶର୍ମିଷ୍ଠା ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କ ବାପାଙ୍କ ନିଷ୍ପତ୍ତି ବିଷୟରେ ମଧ୍ୟ କହିଥିଲେ। ବାମପନ୍ଥୀ ସୀତାରାମ ୟେଚୁରୀ ହୁଅନ୍ତୁ କିମ୍ବା ଦକ୍ଷିଣପନ୍ଥୀ ଅରୁଣ ଜେଟଲୀ ହୁଅନ୍ତୁ, ସେ ଖୋଲା କଥାବାର୍ତ୍ତାରେ ବିଶ୍ୱାସ କରୁଥିଲେ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଏହାବ୍ୟତୀତ, ସେ ବିଶ୍ୱାସ କରୁଥିଲେ ଯେ ଆର୍ଏସ୍ଏସ୍ ଏକ ଶକ୍ତିରେ ପରିଣତ ହୋଇଛି ଯାହାକୁ ଅଣଦେଖା କରାଯାଇପାରିବ ନାହିଁ।