ରୋହିତ ଶର୍ମାଙ୍କ ଫଟୋକୁ ନିଜ ମନିପର୍ସରେ ରଖୁଥିବା ଏହି ଯୁବକ ହୋଇପାରନ୍ତି କେବିସି-୧୩ର ଦ୍ଵିତୀୟ କୋଟିପତି

ମୁମ୍ବାଇ: ମଧ୍ୟପ୍ରଦେଶର ପ୍ରଂଶୁ ତ୍ରିପାଠୀ କୌନ ବନେଗା କରୋଡ଼ପତି ସିଜିନ ୧୩ର ଦ୍ୱିତୀୟ କୋଟିପତି ହୋଇପାରନ୍ତି | ସୋନି ଟିଭି ପକ୍ଷରୁ ପ୍ରସାରିତ ହୋଇଥିବା ପ୍ରୋମୋରେ ସେ ୧ କୋଟି ଟଙ୍କା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ପ୍ରଂଶୁ ତ୍ରିପାଠୀ ଜଣେ ଗଣିତ ଶିକ୍ଷକ ହୋଇଥିବାବେଳେ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏହି ଶୋ ଆସନ୍ତା ସେପ୍ଟେମ୍ବର ୨୩ରେ ପ୍ରସାରିତ ହେବାକୁ ଥିବାବେଳେ ଆଗ୍ରାର ହିମାନି ବୁନ୍ଦେଲାଙ୍କ ପରେ କେବିସି ଦ୍ଵିତୀୟ କୋଟିପତି ପାଇପାରେ ବୋଲି ଆଶା କରାଯାଉଛି |

ପ୍ରଂଶୁ ତ୍ରିପାଠୀ ମଧ୍ୟପ୍ରଦେଶର ସତନାରୁ ଆସିଥିବାବେଳେ ଏବେ କିନ୍ତୁ ତାଙ୍କ ପରିବାର ସହିତ ଉମରିଆରେ ରହୁଛନ୍ତି। ସେ ଏକ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ମାସିକ ୭ ହଜାର ଟଙ୍କା ରୋଜଗାର କରନ୍ତି | ଅଧିକ ରୋଜଗାର ଆରମ୍ଭ କରିବାର ସମୟ ଆସିଛି ବୋଲି ସେ ଅନୁଭବ କରନ୍ତି |

ତେଣୁ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସେ ଜଣେ କ୍ରିକେଟ୍ ପ୍ରଶଂସକ ଏବଂ ରୋହିତ ଶର୍ମାଙ୍କୁ ଖୁବ ପସନ୍ଦ କରନ୍ତି। ସେ ରୋହିତ ଶର୍ମାଙ୍କ ଫଟୋକୁ ନିଜ ମନିପର୍ସରେ ରଖି ତାଙ୍କୁ ‘ଗୁରୁ’ ବୋଲି ଡାକନ୍ତି। ସେ ସେହି ଦିନକୁ ଅପେକ୍ଷା କରିଛନ୍ତି ଯେତେବେଳେ ସେ କ୍ରିକେଟରଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବେ ବା ପଦେ କଥାବାର୍ତ୍ତା କରିପାରିବେ | ତେବେ ପ୍ରଂଶୁ ତ୍ରିପାଠୀ ଏକ କୋଟି ଟଙ୍କା ଜିତିବେ ନା ନାହିଁ ତାହା ସୋ ଦେଖିବା ପରେ ଜଣାପଡିବ |

ସମ୍ବନ୍ଧିତ ଖବର