ରାଜ୍ୟସଭାରେ ପ୍ରସନ୍ନଙ୍କ ଦାବି: ‘ହାଇକୋର୍ଟ ଅଫ୍‌ ଓଡ଼ିଶା’ ହେଉ

ନୂଆଦିଲ୍ଲୀ  : ‘ ହାଇକୋର୍ଟ ଅଫ୍‌ ଓରିଶା’କୁ ‘ହାଇକୋର୍ଟ ଅଫ୍‌ ଓଡ଼ିଶା’ ରୂପେ ନାମିତ କରାଯାଉ। ବୁଧବାର ଦିନ ରାଜ୍ୟସଭାର ଶୂନ୍ୟକାଳରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହିଭଳି ଦାବି କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବରେ ଲମ୍ବା ଲଢ଼େଇ ପ‌ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ଲାଭ କଲା। ଏହାର ୧୨ ବର୍ଷ ପରେ ଅର୍ଥାତ୍‌ ୧୯୪୮ ମସିହା ଜୁଲାଇ ୨୬ରେ ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା। ରାଜ୍ୟବାସୀଙ୍କ ଦାବିପରେ ୨୦୧୧ମସିହାରେ ସମ୍ବିଧାନର ୧୧୩ତମ ସଂଶୋଧନ ବଳ‌ରେ ‘ଓରିଶା’ରୁ ‘ଓଡ଼ିଶା’ ନାମକୁ ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନ ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟର ନାମ ପରିବର୍ତ୍ତନ ହୋଇନାହିଁ। ଅନୁରୁପଭାବେ ବମ୍ବେ, କଲିକତା, ମାଡ୍ରାସ ହାଇକୋର୍ଟ ଓ ଆହ୍ଲାବାଦ ହାଇକୋର୍ଟର ନାମ ପରିବର୍ତ୍ତନ କରାଯାଇନାହିଁ। ୨୦୧୬ ମସିହାରେ କେନ୍ଦ୍ର ସରକାର ହାଇକୋର୍ଟଗୁଡିକର ନାମ ପରିବର୍ତ୍ତନ ସଂକ୍ରାନ୍ତୀୟ ବିଲ୍‌କୁ ଲୋକସଭାରେ ଆଗତ କରିଥିଲେ। କିନ୍ତୁ, ଚତୁର୍ଦ୍ଦଶ ଲୋକସଭାର ଅବଧି ଶେ‌‌ଷ ହୋଇଯିବାରୁ ବିଲ୍‌ଟି ଗୁରୁତ୍ବ ହରାଇଛି। ତେଣୁ କେନ୍ଦ୍ର ସରକାର ହାଇକୋର୍ଟ ଗୁଡ଼ିକର ନାମ ପରିବର୍ତ୍ତନ ସଂକ୍ରାନ୍ତୀୟ ବିଲ୍‌କୁ ପୁଣିଥରେ ଆଗତ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଥିଲେ।

ସମ୍ବନ୍ଧିତ ଖବର