ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ସୋନିଆଙ୍କ ନିକଟରେ ଯୋଜନା ଉପସ୍ଥାପନ କରିଛନ୍ତି। ଆଜିର ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ଏବଂ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ନେତାମାନେ ଏନେଇ ଦଳର ରଣନୀତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ପ୍ରଶାନ୍ତ କିଶୋର ସୋନିଆଙ୍କୁ ୨୦୨୪ ଲୋକସଭା ନିର୍ବାଚନ ରଣନୀତିର ଏକ ରିପୋର୍ଟ ପ୍ରଦାନ ‌କରିଛନ୍ତି। ପ୍ରଶାନ୍ତ କିଶୋରଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ଯୋଜନାକୁ ସୋନିଆଙ୍କର ଏକ ଟିମ୍‌ ଭଲଭାବେ ଆକଳନ କରିବେ। ସପ୍ତାହକ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟର ଅଧ୍ୟୟନ ସୋନିଆଙ୍କୁ ଦିଆଯିବ ବୋଲି ବରିଷ୍ଠ ନେତା କେସି ବେଣୁଗୋପାଳ କହିଛନ୍ତି। କିଶୋର ତାଙ୍କ ଉପସ୍ଥାପନାରେ କହିଛନ୍ତି, କଂଗ୍ରେସ ୨୦୨୪ରେ ୩୭୦ ଆସନରେ ଫୋକସ୍‌ କରିବା ଉଚିତ୍‌। କଂଗ୍ରେସ ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ ଏକାକୀ ଲଢ଼ିବା ଉଚିତ୍‌। ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ କଂଗ୍ରେସ ମେଣ୍ଟରେ ଲଢ଼ିବାପାଇଁ ପ୍ରଶାନ୍ତ କିଶୋର ପରାମର୍ଶ ଦେଇଛନ୍ତି। କିଶୋରଙ୍କ କଥାରେ ରାହୁଲ ଗାନ୍ଧି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

Advertisment

ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଯୋଗ ଦେବାପାଇଁ ଦଳ ପକ୍ଷରୁ କୁହାଯାଇଛି। ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେଇପାରନ୍ତି। ସେ କନସଲଟାଣ୍ଟ୍‌ ରହିବେନି ବରଂ କଂଗ୍ରେସରେ ଯୋଗ ଦେଇ କଂଗ୍ରେସ ନେତାଭାବେ କାମ କରିବେ ବୋଲି କୁହାଯାଉଛି। ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିବା ବେଳେ କେସି ବେଣୁଗୋପାଳ କହିଛନ୍ତି, ସପ୍ତାହକ ମଧ୍ୟରେ ସବୁକିଛି ସ୍ପଷ୍ଟ କରାଯିବ।