କଂଗ୍ରେସରେ ଯୋଗଦେବାକୁ ମନାକଲେ ପ୍ରଶାନ୍ତ କିଶୋର, କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲାଙ୍କ ସୂଚନା

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ଯୋଗଦେବାକୁ ମନା କରିଦେଇଛନ୍ତି । ଏ ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲା ଟୁଇଟ କରି ସୂଚନା ଦେଇଛନ୍ତି ।

ନିଜ ଟୁଇଟରେ ସେ ଲେଖିଛନ୍ତି, “ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ୨୦୨୪ ନିର୍ବାଚନ ପାଇଁ ଏକ କ୍ଷମତାଶାଳୀ କମିଟି ଗଠନ କରିଥିଲେ ଓ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ବ ସହ ସେଥିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେ ମନା କରିଦେଇଛନ୍ତି । ଦଳକୁ ସେ ଦେଇଥିବା ପରାମର୍ଶ ପାଇଁ ଦଳ ତାଙ୍କୁ ଧନ୍ୟବାଦ ଦେଉଛି ।“

ଦୁଇ ସପ୍ତାହ ତଳେ ପ୍ରଶାନ୍ତ କିଶୋର ସୋନିଆଙ୍କୁ ଭେଟିବା ସହ ୨୦୨୪ ନିର୍ବାଚନରେ ବିଜୟ ପାଇଁ କେତେକ ପରାମର୍ଶ ଓ ବ୍ଲୁପ୍ରିଣ୍ଟ ପ୍ରଦାନ କରିଥିଲେ । ଏହା ପରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସର କେତେକ ସଦସ୍ୟ ପ୍ରଶାନ୍ତଙ୍କ ଯୋଗଦାନକୁ ନେଇ ଆଶାବାଦୀ ଥିବାବେଳେ ଆଉ କେତେକ ତାହାକୁ ବିରୋଧ କରୁଥିବାର ଚର୍ଚ୍ଚା ମଧ୍ୟ ହୋଇଥିଲା ।

ପ୍ରଶାନ୍ତ କିଶୋରଙ୍କ ବ୍ଲୁପ୍ରିଣ୍ଟର ଅଧ୍ୟୟନ ପାଇଁ ସୋନିଆ ଏକ ୮ ଜଣିଆ କମିଟି ଗଠନ କରିଥିଲେ । ଏହା ପରେ ୨୦୨୪ ପାଇଁ ଏକ କ୍ଷମତାସଂପନ୍ନ ଗୋଷ୍ଠୀ ଗଠନ କରାଯାଇଥିଲା । ଦଳର ନିର୍ବାଚନୀ ରଣକୌଶକୁ ସୁଧାରିବା ନିମନ୍ତେ ସାଂଗଠନିକ ସ୍ତରରେ ପରିବର୍ତ୍ତନ ଉପରେ ଏହି ଗୋଷ୍ଠୀ ବିଚାର କରିବ ।

 

ସମ୍ବନ୍ଧିତ ଖବର