ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ସଂପର୍କରେ ଜନ ସୁରାଜ ପାର୍ଟି ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତବାଣୀ ସାମ୍ନାକୁ ଆସିଛି। ପ୍ରଶାନ୍ତ କିଶୋରଙ୍କ ମତରେ ଏଥର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବ।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଆଉ ଏକ ବିଜୟ ଦେଇପାରନ୍ତି। ୨୦୧୯ ତୁଳନାରେ ବିଜେପିର ଆସନ ସଂଖ୍ୟା ପାଖାପାଖି କିମ୍ବା ଅଧିକ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ମୁଁ ଭାବୁଛି ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛି। ସେମାନେ ଗତ ନିର୍ବାଚନ ଭଳି ସମାନ ସଂଖ୍ୟକ ଆସନ ପାଇପାରନ୍ତି କିମ୍ବା ସାମାନ୍ୟ ଭଲ ପ୍ରଦର୍ଶନ କରିପାରନ୍ତି ବୋଲି ସେ କହିଛନ୍ତି । ୨୦୧୯ରେ ବିଜେପି ୩୦୩ ଟି ଆସନ ପାଇଥିଲା।
ସେ କହିଛନ୍ତି ଯେ, ବିଜେପିକୁ ସବୁଠାରୁ ଅଧିକ ଆସନ ମିଳୁଥିବା ଉତ୍ତର ଓ ପଶ୍ଚିମଭାରତରେ ଦଳର ଆସନ ସଂଖ୍ୟା ପାଖାପାଖି ସ୍ଥିର ରହିବ । ଏହାବାଦ୍ ପୂର୍ବ ଓ ଦକ୍ଷିଣ ଭାରତରେ ଏଥର ବିଜେପିର ପ୍ରଦର୍ଶନରେ ଉନ୍ନତି ଆସିବ । ଫଳରେ ଗତଥର ତୁଳନାରେ ବିଜେପି କିଛିଟା ଅଧିକ ଆସନ ଜିତିବ ।