ନୂଆଦିଲ୍ଲୀ : ପ୍ରସାର ଭାରତୀ ପକ୍ଷରୁ ଆକାଶବାଣୀ ଓ ଦୂରଦର୍ଶନରେ ଯେଉଁ ସଂସ୍କାରବାଦୀ କାର୍ଯ୍ୟକ୍ରମ ଜାରି ରହିଛି ସେଥିରେ ପୁରୁଣାକାଳିଆ ପ୍ରସାରଣ ପ୍ରଯୁକ୍ତିକୁ ହଟାଯାଇ ଅଗ୍ରାଧିକାର ଭିତ୍ତିରେ ନୂଆ ପ୍ରଯୁକ୍ତିର ଉପଯୋଗ କରାଯାଉଛି। ସେହିଭଳି କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ୍ର ମାନବୁଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି, ଯାହାଫଳରେ ଉଭୟ ଦର୍ଶକ ଓ ଶ୍ରୋତା ଉନ୍ନତମାନର କାର୍ଯ୍ୟକ୍ରମ ଭଲଭାବେ ଉପଭୋଗ କରିବାର ସୁଯୋଗ ପାଇବେ।
ସବୁ ରାଜ୍ୟର ଦୂରଦର୍ଶନ କେନ୍ଦ୍ରଗୁଡିକ ନିଜ ନିଜର କାର୍ଯ୍ୟକ୍ରମ ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ଡିଜିଟାଲ ମାଧ୍ୟମରେ ଉପଲବ୍ଧ କରାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୭୦% ଆନାଲଗ୍ ଟ୍ରାନ୍ସମିଟରକୁ ପ୍ରତ୍ୟାହର କରାଯାଇସାରିଲାଣି। ଅବଶିଷ୍ଟ ପ୍ରତ୍ୟାହାର ପ୍ରକ୍ରିୟା ଚାଲିଛି । ଏହି ସବୁ ଟ୍ରାନ୍ସମିଟର ପରିଚାଳନାରେ ନିଯୁକ୍ତ ଲୋକଶକ୍ତିକୁ ଅନ୍ୟତ୍ର ନିୟୋଜିତ କରିବାର ବ୍ୟବସ୍ଥା କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ପ୍ରାୟ ୫୦ଟି ଅନାଲଗ ଟ୍ରାନ୍ସମିଟରକୁ ଛାଡି ଅନ୍ୟ ସମସ୍ତ ପୁରୁଣାକାଳିଆ ଆନାଲଗ୍ ଟେରେଷ୍ଟ୍ରିଆଲ ଟ୍ରାନ୍ସମିଟରକୁ ପ୍ରସାର ଭାରତୀ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ହଟାଇବ। ପ୍ରସାର ଭାରତୀ ମଧ୍ୟ ଦେଶରେ ଡିଜିଟାଲ ଟେରେଷ୍ଟ୍ରିଆଲ ବ୍ରଡକାଷ୍ଟିଂ ପାଇଁ ନୂଆପିଢିର ଟେକ୍ନୋଲୋଜି ବିକଶିତ କରିବାକୁ ଆଇଆଇଟି କାନପୁର ସହ ଚୁକ୍ତିବଦ୍ଧ ହୋଇଛି। ଏହାଦ୍ୱାରା ସିଧାସଳଖ ମୋବାଇଲ ବ୍ରଡକାଷ୍ଟିଂ ସୁବିଧା ମିଳିବ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଲଗରିଦିମ୍ ବ୍ୟବହାର କରି ନୂଆ କଣ୍ଟେଣ୍ଟ ସୃଷ୍ଟି କରାଯାଇପାରିବ।