ବିଚାରପତିଙ୍କୁ ପ୍ରଶାନ୍ତଭୂଷଣ ଦୁର୍ନୀତିଗ୍ରସ୍ତ କହିବା ମାମଲା: ବୃହତ୍ତର ପ୍ରସଙ୍ଗର ଅନୁଧ୍ୟାନ କରିବେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ:ଦେଶର ନ୍ୟାୟ ବ୍ୟବସ୍ଥା ଓ ପ୍ରଧାନ ବିଚାରପତିଙ୍କ ବିରୋଧରେ ଟିପ୍ପଣୀ ଦେଇ ନିକଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ୨୦୦୯ ମସିହାରେ ଏକ ମାଗାଜିନରେ ନ୍ୟାୟବ୍ୟବସ୍ଥା ବିରୋଧରେ ଦେଇଥିବା ମନ୍ତବ୍ୟର ଶୁଣାଣି ଆଜି ହୋଇଛି। କେଉଁ ପରିସ୍ଥିତିରେ ବିଚାରପତିଙ୍କୁ ଦୁର୍ନୀତିଗ୍ରସ୍ତ କୁହାଯାଇ ପାରିବ ତାହାର ବୃହତ୍ତର ଦିଗଗୁଡ଼ିକୁ କୋର୍ଟ ଅନୁଧ୍ୟାନ କରିବେ। କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ବିଚାରପତିଙ୍କ ବିରୋଧରେ ଯଦି ଦୁର୍ନୀତି ଅଭିଯୋଗ କରାଯାଏ ତା’ହେଲେ ଅଦାଲତ ଅବମାନନା ମାମଲାରେ କି ପ୍ରକ୍ରିୟା ଗ୍ରହଣ କରାଯିବ ତାହାକୁ ସର୍ବୋଚ୍ଚ ଅଦାଲତ ଅନୁଧ୍ୟାନ କରିବେ। ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ‌କରିବେ। ସେହି ସମୟରେ ଓକିଲମାନଙ୍କ ଯୁକ୍ତିକୁ ଶୁଣାଯିବ ବିଚାରପତି ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରେ ତେହଲକା ମାଗାଜିନକୁ ପ୍ରଶାନ୍ତ ଭୂଷଣ ଏକ ସାକ୍ଷାତକାର ଦେଇଥିଲେ। ସେଥିରେ ସେ କହିଥିଲେ ସୁପ୍ରିମ କୋର୍ଟର ଅଧା ବିଚାରପତି ଦୁର୍ନୀତିଗ୍ରସ୍ତ। ତେବେ ବିଚାରପତି ମିଶ୍ର କହିଛନ୍ତି, ଏହି ମାମଲାରେ ପୂର୍ଣ୍ଣଛେଦ ପକାଇବାକୁ ଆମେ ଆଗ୍ରହୀ। କିନ୍ତୁ ଏ ନେଇ କେତେକ ମୌଳିକ ପ୍ରଶ୍ନ ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା ଯଦି ଆପଣ ଗଣମାଧ୍ୟମକୁ କହିବାକୁ ଚାହୁଥାନ୍ତି। ଦ୍ବିତୀୟ ପ୍ରସଙ୍ଗଟି ହେଲା ଯଦି ଆପଣଙ୍କର କୌଣସି ବିଚାରପତିଙ୍କ ବିରୋଧରେ କହିବାକୁ ଥାଏ ତା‌’ହେଲେ ତାହାର ପଦ୍ଧତି କ’ଣ ରହିବା ଉଚିତ? ତୃତୀୟ ପ୍ରସଙ୍ଗଟି ହେଲା କେଉଁ ପରିସ୍ଥିତିରେ ଏଭଳି ଅଭିଯୋଗ କରାଯାଇ ପାରିବ? ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାଜୀବ ଧାବନ ଯୁକ୍ତି ଦର୍ଶାଇଥିଲେ ଯେ ଦୁର୍ନୀତି ଶବ୍ଦ ବ୍ୟବହାର କରିବା ଦ୍ବାରା ଅଦାଲତର ଅବମାନନା ହୋଇନାହିଁ। ଏହି ପ୍ରସଙ୍ଗକୁ ସେ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବା ଆବଶ୍ୟକ । ତେହଲକା ମାଗାଜିନ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବି କପିଲ ସିବଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଏହି ମାମଲାକୁ ବନ୍ଦ କରିବାକୁ କହିଥିଲେ। ଏହି ସମୟରେ ବିଚାରପତି ମିଶ୍ର କହିଥିଲେ, ମାମଲା ଯେତେବେଳେ ବିଚାରାଧୀନ ରହିଛି ତାହା ଉପରେ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ତର୍କବିତର୍କ କେତେଦୂର କରାଯାଇ ପାରିବ ତାହା ଅନୁଧ୍ୟାନ କରାଯିବ। ଏହି ମାମଲାରେ ପ୍ରଶାନ୍ତଭୂଷଣଙ୍କ ଦୁଃଖପ୍ରକାଶ ଓ ମତାମତ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଥିଲେ। ଟ୍ବିଟ୍‌ ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ସୁ୍ପ୍ରିମ କୋର୍ଟ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିବାବେଳେ ସେ ଏହା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ଆଇନଜୀବୀ ଧାବନ କହିଛନ୍ତି।

ସମ୍ବନ୍ଧିତ ଖବର