କ୍ଷମା ମାଗିବା ଲାଗି ପ୍ରଶାନ୍ତ ଭୂଷଣକୁ ୪ ଦିନ ସୁଯୋଗ, ଅନ୍ୟ ଖଣ୍ଡପୀଠକୁ ମାମଲା ସ୍ଥାନାନ୍ତର ପାଇଁ ମନାକଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଦେଶର ନ୍ୟାୟବ୍ୟବସ୍ଥା ସମ୍ପର୍କରେ ନିକଟରେ କରିଥିବା ଟ୍ବିଟ୍ ପ୍ରସଙ୍ଗରେ ସେ ଦୁଃଖପ୍ରକାଶ କରିବେ ନାହିଁ। ଏହା କହିଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ। କେଉଁ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ଗ୍ରହଣ କରାଗଲା ସୁପ୍ରିମ କୋର୍ଟ ତାହା ତାଙ୍କୁ ଦେଇ ନଥିବାରୁ ସେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କଷ୍ଟ ଅନୁଭବ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ଉଦ୍ଧାର କରି ସେ କହିଛନ୍ତି-ମୁଁ କ୍ଷମା ମାଗୁନାହିଁ, ମୁଁ ମହାନୁଭବତା ପାଇଁ ମଧ୍ୟ ଆବେଦନ କରୁନାହିଁ। ‌ଅଦାଲତ ଯେଉଁ ଦଣ୍ଡ ମୋତେ ଦେବେ ତାହାକୁ ମୁଁ ହସି ହସି ଗ୍ରହଣ କରିବି ବୋଲି ସେ କହିଛନ୍ତି। ତେବେ ଜଣେ ନାଗରିକଭାବେ ଦାୟିତ୍ବ ସମ୍ପାଦନ ପାଇଁ ଟ୍ବିଟ୍ କରି ସାଧୁ ଉଦ୍ୟମ କରିଥିଲେ। ଇତିହାସର ବର୍ତ୍ତମାନ ସନ୍ଧିକ୍ଷଣରେ ଯଦି ଏହା ନକହିବି ତାହେଲେ ମୋ ଦାୟିତ୍ବ ସମ୍ପାଦନରେ ମୁଁ ବିଫଳ ହେବି। ସେହିଭଳି ଦୁଃଖପ୍ରକାଶ କରିବା ମୋ ପାଇଁ ନିନ୍ଦାସୂଚକ ହେବ ବୋଲି ସେ କହିଛନ୍ତି।

ତେବେ ଅନ୍ୟ ଏକ ଖଣ୍ଡପୀଠରେ ଦଣ୍ଡାଦେଶର ଶୁଣାଣି କରିବା ପାଇଁ ପ୍ରଶାନ୍ତ କରିଥିବା ଆବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। କିନ୍ତୁ ସେ କରିଥିବା ପୁନର୍ବିଚାର ଆବେଦନ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ନପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଦଣ୍ଡାଦେଶ ହେବନାହିଁ ବୋଲି ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ହେଲେ ବି ଆର୍‌ ଗାଭି ଓ କ୍ରିଷ୍ଣା ମୂରାରୀ। ମାମଲାର ଶୁଣାଣି ଆରମ୍ଭରେ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ କହିଥିଲେ, ସେ ଏହି ମାମଲାରେ ପୁନର୍ବିଚାର ପାଇଁ ଆବେଦନ କରିବେ। ତେଣୁ ଦଣ୍ଡାଦେଶକୁ ଘୁଞ୍ଚାଇବା ପାଇଁ ସେ ଆବେଦନ କରିଥିଲେ। ଅନ୍ୟପକ୍ଷରେ ସୁପ୍ରିମ କୋର୍ଟ ଏଥିପାଇଁ ପ୍ରଶାନ୍ତଭୂଷଣଙ୍କୁ କ୍ଷମା ମାଗିବା ଲାଗି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ।

ସମ୍ବନ୍ଧିତ ଖବର