ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟର ପ୍ରମାଣ କରନ୍ତୁ: ସୋଲି ସୋରାବଜୀ

କପିଲ ଶିବଲ କହିଲେ, ଇତିହାସ ଅଦାଲତକୁ ପରଖିବ

ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଦଣ୍ଡବିଧାନ ନ କରିବା ପାଇଁ ଦେଶର ପ୍ରଖ୍ୟାତ ଆଇନଜୀବୀ ତଥା ପ୍ରାକ୍ତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ ନିବେଦନ କରିଛନ୍ତି। ଅପରପକ୍ଷେ, ପ୍ରଶାନ୍ତ ଭୂଷଣଙ୍କୁ ଏପରି ଦଣ୍ଡ ଦେଇ ନିରବ କରିଦେବା ଅପେକ୍ଷା ନ୍ୟାୟପାଳିକା ଦୁର୍ନୀତି ସମ୍ପର୍କରେ ଶ୍ରୀ ଭୂଷଣ ଦେଇଥିବା ବକ୍ତବ୍ୟକୁ ପ୍ରମାଣିତ କରିବା ପାଇଁ ତାଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ସୋରାବଜୀ ଯୁକ୍ତି ରଖିଛନ୍ତି। ସୂଚନା ଥାଉ କି, ନ୍ୟାୟପାଳିକା ଏବଂ ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ବିରୋଧରେ ସମ୍ମାନହାନିକାରକ ଟ୍ବିଟ୍‌ କରି ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ନିକଟରେ ତାଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ତେବେ ଏଥିପାଇଁ ଆବଶ୍ୟକ ଦଣ୍ଡବିଧାନ ଆସନ୍ତା ସପ୍ତାହରେ ହେବାକୁ ଥିବା ବେଳେ ପ୍ରଶାନ୍ତ ଭୂଷଣଙ୍କୁ ଛଅ ମାସ ଯାଏ କାରାବାସ ଦଣ୍ଡ କିମ୍ବା ୨,୦୦୦ ଟଙ୍କା ଯାଏ ଜରିମାନା ଅଥବା ଉଭୟ ଜରିମାନା ଓ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ଆଇନ ବିଶାରଦଙ୍କ ମତ। ତେବେ ସୋରାବଜୀଙ୍କ ଉପରୋକ୍ତ ପ୍ରସ୍ତାବ ଅଦାଲତ ଅବମାନନା ପାଇଁ ପ୍ରଶାନ୍ତ ଭୂଷଣ ଦଣ୍ଡିତ ନହେବାକୁ ଇସାରା କରିବା ସହ ମାନ୍ୟବର ଅଦାଲତ ମଧ୍ୟ ସମାଲୋଚନା ଗ୍ରହଣ କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସଂକେତ କରିଛି।

ନୂଆଦିଲ୍ଲୀ: ଆଇନଜୀବୀ ତଥା‌ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା‌ ଅଦାଲତ ଅବମାନନା ମାମଲା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ ଜଣାଇଛନ୍ତି। ଅଦାଲତ ଅବମାନନା ମାମଲା ରୁଜୁ କରାଯିବା ପ୍ରଶାନ୍ତଙ୍କୁ ଏକ ବଡ଼ ହାତୁଡ଼ିରେ ପ୍ରହାର କଲା ଭଳି ଘଟଣା ଏବଂ ଅଦାଲତଙ୍କ ଏଭଳି କାର୍ଯ୍ୟକଳାପକୁ ଇତିହାସ ପରଖିବ ବୋଲି ଶିବଲ କହିଛନ୍ତି। ଅପରପକ୍ଷେ, କିଛି ରାଜନୈତିକ ଦଳ ଓ ସଂସ୍ଥା ଦ୍ବାରା ଭାରତୀୟ ସମ୍ବିଧାନ ଅସୁରକ୍ଷିତ ହୋଇ ପଡୁଥିବାବେଳେ ଅଦାଲତ କାହିଁକି ଅସହାୟ ବୋଲି କପିଲ ପ୍ରଶ୍ନ କରିଛନ୍ତି। ଅଦାଲତଙ୍କ ଏଭଳି ପକ୍ଷପାତିତା ନେଇ ଶିବଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର