ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ, ପଶ୍ଚିମବଙ୍ଗରେ ବିଜେପି ଦୁଇଅଙ୍କ ଟପିବନି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବିଗୁଲ୍‌ ବାଜି ସାରିଲାଣି। ଶାସକ ତୃଣମୂଳ ଏବଂ ବିରୋଧୀ ବିଜେପି ଜୋର୍‌ସୋର୍‌ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ବିଜେପିର ଆକ୍ରମଣାତ୍ମକ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଚ୍ୟାଲେଞ୍ଜ କରିଛନ୍ତି ବିଜେପି ଶହେ ନମ୍ବର ଛୁଇଁ ପାରିବ ନାହିଁ। ବହୁ ସଂଘର୍ଷ କଲେ ମଧ୍ୟ ୯୯ରୁ ଅଧିକ ଆସନରେ ବିଜୟୀ ହୋଇପାରିବେ ନାହିଁ। ବିଜେପି ଯଦି ମୋ ଆକଳନଠାରୁ ଅଧିକ ଆସନରେ ବିଜୟୀ ହୁଏ ତେବେ ଗତ ଛଅ ବର୍ଷ ହେଲା ରହି ଆସିଥିବା ଏହି ପଦବୀ (ରଣନୀତିକାର) ଓ ଟ୍ବିଟର୍‌ ଛାଡ଼ିଦେବି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଗସ୍ତରେ ଆସି ଆଗାମୀ ବିଧାନସଭା ନିର୍ବାଚନରେ ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ସରକାର ଗଢ଼ିବ ବୋଲି ରଣହୁଙ୍କାର ଦେବା ପରେ ତୃଣମୂଳ କଂଗ୍ରେସର ଚିନ୍ତା ବଢ଼ି ଯାଇଛି। ତୃଣମୂଳର କେତେକ ଆଗଧାଡ଼ିର ନେତା ବିଜେପିରେ ଯୋଗ ଦେବା ପରେ ଆକ୍ସନ ମୁଡ୍‌ରେ ଅଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏପରିକି ବରିଷ୍ଠ ନେତାମାନେ କାହିଁକି ଦଳ ଛାଡ଼ୁଛନ୍ତି ବୋଲି ପିକେଙ୍କୁ ପ୍ରଶ୍ନ କରିଥିଲେ ମମତା। ମମତାଙ୍କ କ୍ଷୋଭ ଏବଂ ଶାହଙ୍କ ଦାବିର ଉତ୍ତରରେ ଆଜି ପିକେ ଉପରୋକ୍ତ ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରଶାନ୍ତ କିଶୋରଙ୍କ ଏହି ଚ୍ୟାଲେଞ୍ଜର ଉତ୍ତର ଦେଇ ବିଜେପି ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ କରିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯେଉଁ ସୁନାମୀ ଚାଲିଛି, ସରକାର ଗଠନ ହେବା ପରେ ଦେଶ ଜଣେ ନିର୍ବାଚନ ରଣନୀତିକାରଙ୍କୁ ହରାଇବ।

ସମ୍ବନ୍ଧିତ ଖବର