ସିଦ୍ଧୁଙ୍କ ଟ୍ୱିଟ୍ ପରେ କଂଗ୍ରେସ ରାଜନୀତିରେ ଝଡ, ରାହୁଲଙ୍କୁ ଭେଟିଲେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ଭେଟଘାଟ ରାହୁଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହୋଇଛି । ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଟ୍ୱିଟ୍ ପରେ ଭେଟଘାଟ ହୋଇଥିବାରୁ ଏହାର ଗୁରୁତ୍ୱ ବଢିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉକି, ଆଜି ସିଦ୍ଧୁ ଏକ ଟ୍ୱିଟ ମାଧ୍ୟମରେ କହିଥିଲେ କି, ପଞ୍ଜାବର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଯାହା ରହିଛି ତାହାକୁ ଆମ୍ ଆଦମୀ ପାର୍ଟି ସ୍ୱୀକୃତି ଦେଇଛି । ଏହି ଟ୍ୱିଟ ପରେ ଆପ୍ ବିଧାୟକ ଭଗବନ୍ତ ସିଂ ମାନ ଟ୍ୱିଟକୁ କରି ପ୍ରଶଂସା କରିବା ପରେ କଂଗ୍ରେସ ରାଜନୀତିରେ ଝଡ ସୃଷ୍ଟି ହୋଇଛି ।
ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାର, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ବି ଚଳିତ ମାସ ଭେଟି ସାରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ବିରୋଧୀ ଦଳ ନେତାମାନଙ୍କ ସହ ପ୍ରଶାନ୍ତଙ୍କର ଏଭଳି ବୈଠକ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପ୍ରସ୍ତୁତି ଭଳି ମନେ ହେଉଛି ।
୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ରହିଥିବାରୁ ପୁଣି ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ ପଞ୍ଜାବ କଂଗ୍ରେସ କାମ କରିପାରେ । ଏହାସହ ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା କନ୍ଦଳକୁ ସମାଧାନ କରିବାକୁ ରାହୁଲ ଗାନ୍ଧୀ ପ୍ରଶାନ୍ତଙ୍କୁ ଦାୟିତ୍ୱ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ସିଦ୍ଧୁ ଓ ଅମରିନ୍ଦରସିଂଙ୍କ ମଧ୍ୟରେ ଥିବା ବିବାଦ ମେଣ୍ଟାଇବାକୁ କେନ୍ଦ୍ର କଂଗ୍ରେସ ପକ୍ଷରୁ ଗଠନ କରାଯାଇଥିବା ୩ ଜଣିଆ କମିଟି ଯେ କନ୍ଦଳ ସମାଧାନ କରିବାରେ ସକ୍ଷମ ନୁହନ୍ତି ତାହା ଆଜି ସିଦ୍ଧୁଙ୍କ ଟ୍ୱିଟ୍ ପରେ ସ୍ପଷ୍ଟ ହୋଇଛି ।