ପିକେଙ୍କ ନିଶାଣରେ ନୀତୀଶ କୁମାର, ଆରମ୍ଭ କଲେ ‘ବାତ୍‌ ବିହାର କୀ’ କାର୍ଯ୍ୟକ୍ରମ

କଡ଼ା ଜବାବ ରଖିଲା ଜେଡିୟୁ

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଜି ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଶାନ୍ତ କିଶୋର ନୀତୀଶଙ୍କୁ ଘେରିବାକୁ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି। ପିକେ ଆଜି ‘ବାତ୍‌ ବିହାର କୀ’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଦେଶରେ ଶ୍ରେଷ୍ଠ ୧୦ ଟି ରାଜ୍ୟ ମଧ୍ୟରେ ବିହାରକୁ ରଖିବାପାଇଁ ସେ କାମ କରିବେ ବୋଲି କହିଛନ୍ତି। ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରି ପିକେ କହିଛନ୍ତି, ଜେଡିୟୁର ବିଚାରଧାରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିବାଦ ହୋଇଛି। ଫେବ୍ରୁଆରି ୨୦ ତାରିଖରେ ବିହାରରେ ‘ବାତ୍‌ ବିହାର କୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଏହ‌ାଦ୍ବାରା ବିହାରରେ ପ୍ରତ୍ୟେକ ଲୋକଙ୍କ ନିକଟରେ ଆମେ ପହଞ୍ଚିବୁ। ବିହାରରେ ନୂଆ ନେତୃତ୍ବର ଆବଶ୍ୟକତା ରହିଥିବା ଏବେ ଜନସାଧାରଣ ବିଶ୍ବାସ କରୁଛନ୍ତି। ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ। ପ୍ରଶାନ୍ତ ତାଙ୍କ ବହିଷ୍କାର ସଂପର୍କରେ କହିଛନ୍ତି- ନୀତୀଶଙ୍କ ସହ ମୋର ସମ୍ପର୍କ ସମ୍ପୂର୍ଣ୍ଣ ରାଜନୈତିକ ନୁହେଁ। ସେ ମତେ ନିଜ ପୁଅ ପରି ଦେଖନ୍ତି ଏବଂ ନୀତୀଶଙ୍କ ପ୍ରତି ମଧ୍ୟ ମୋର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି।

ପ୍ରଶାନ୍ତ କିଶୋର ଆଜି ବିକାଶ ପ୍ରସଙ୍ଗରେ ନୀତୀଶଙ୍କୁ ପ୍ରଶ୍ନ କରିଛନ୍ତି। ବିହାରରେ ୨୦୦୫ରୁ ୨୦୧୫ ମଧ୍ୟରେ ଖୁବ୍‌ କମ୍‌ ବିକାଶ ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ ବିହାର ଏବେ ବି ପଛୁଆ ଅଛି। ବିହାରରୁ ଏତେ ଶ୍ରମିକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବାପାଇଁ ନୀତୀଶଙ୍କ ପାଖରେ ଯଦି କିଛି ତଥ୍ୟ ଅଛି ତାହା ମଧ୍ୟ ଦେଖାଇବା ପାଇଁ ପିକେ ନୀତୀଶଙ୍କୁ ଚ୍ୟାଲେଂଜ କରିଛନ୍ତି। ଉଲ୍ଲେଖଯୋଗ୍ୟ ଜେଡିୟୁରୁ ବହିଷ୍କୃତ ହେବାପରେ ଏ‌ହା ପ୍ରଶାନ୍ତ କିଶୋରଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ। ଆଗକୁ ସେ ବିହାର ଉପରେ ଅଧିକ ଫୋକସ୍‌ କରିବେ ବୋଲି କହିଛନ୍ତି।

ପାଟନା‌: ବିହାରରେ ନୀତୀଶ କୁମାର ସରକାରଙ୍କ ବିକାଶ ମଡେଲ୍‌କୁ ନେଇ ନିର୍ବା‌ଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପ୍ରଶ୍ନ ଉଠାଇବା ପରେ ଜେଡିୟୁ ଏହାର କଡ଼ା ଜବାବ ଦେଇଛି। ପିକେ ଗୋଟିଏ ପଟେ ନୀତୀଶଙ୍କୁ ପିତା ଭଳି ବୋଲି କହୁଥିବା ବେଳେ ଅନ୍ୟପଟେ ବେପରୁଆ ସମାଲୋଚନା କରି ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚାହୁଛନ୍ତି। ପିକେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନୀତୀଶ ବାସ୍ତବରେ ମହାତ୍ମା ଗନ୍ଧୀଙ୍କ ବିଚାରଧାରା ସହ ଅଛନ୍ତି ନା’ ଯେଉଁମାନେ ନାଥୁରାମ ଗଡସେଙ୍କୁ ସମର୍ଥନ କରୁଛନ୍ତି ସେମାନଙ୍କ ସହ ଅଛନ୍ତି ତାହା ସେ କହିବା ଉଚିତ୍‌ ବୋଲି କହିଥିଲେ। ଜେଡିୟୁ ପକ୍ଷରୁ କୁହାଯାଇଛି ଯେ, ପ୍ରଶାନ୍ତ କିଶୋର ରାଜନୀତିରେ ଜୁଆ ଖେଳିବା ଅପେକ୍ଷା ନିଜ ବ୍ୟବସାୟରେ ଅଧିକ ସମୟ ‌ଦେବା ଉଚିତ୍‌। ପ୍ରଶାନ୍ତ କିଶୋର ଆପ୍‌ ପାଇଁ ବ୍ୟାଟିଂ କରିବା ଉଚିତ। ସେ ନିଜ ବ୍ୟବସାୟ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଉଚିତ। ରାଜନୀତି ତାଙ୍କ ପାଇଁ ଏତେ ସହଜ ହେବ ନାହିଁ ବୋଲି ଦଳୀୟ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି।

ସମ୍ବନ୍ଧିତ ଖବର