ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ରାଜନୈତିକ ଦଳର ଶୁଭାରମ୍ଭ ତାରିଖ ଘୋଷଣା କରିଛନ୍ତି। ପି.କେ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅକ୍ଟୋବର ୨ରେ ତାଙ୍କ ପାର୍ଟି ଆରମ୍ଭ ହେବ।

Advertisment

ବିହାରରେ ଦୁଇ ବର୍ଷର ରାଜନୈତିକ ଯାତ୍ରା ପରେ ସେ ବର୍ତ୍ତମାନ ନିଜର ରାଜନୈତିକ ଦଳ ଗଠନ କରିବେ ଏବଂ ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ​​୨୪୩ ଟି ଆସନରେ ପ୍ରାର୍ଥୀ ଦେବେ। ସେ କହିଛନ୍ତି ୨୧ ଜଣ ନେତାଙ୍କ ଏକ କମିଟି ମଧ୍ୟ ଗଠନ କରିବେ ଯାହା ଦଳର ଏହି ପ୍ରସଙ୍ଗରେ ଦୃଷ୍ଟି ଦେବ।

୨୦୨୧ ମସିହାରେ ମମତା ବାନାର୍ଜୀଙ୍କ ଦଳ ଟିଏମସିକୁ ଏକ ବିଜୟ ଦେବା ପରେ ପ୍ରଶାନ୍ତ କିଶୋର ଘୋଷଣା କରିଥିଲେ ସେ ଆଉ ନିର୍ବାଚନ ରଣନୀତିଜ୍ଞ ଭାବରେ କାର୍ଯ୍ୟ କରିବେ ନାହିଁ। ୨ ଅକ୍ଟୋବର ୨୦୨୨ରେ ଆନୁଷ୍ଠାନିକ ଭାବେ ରାଜନୀତିରେ ଯୋଗଦେବା ପୂର୍ବରୁ ସେ ବିହାରରେ ଏକ ଯାତ୍ରା କରିବାକୁ ଘୋଷଣା କରିଥିଲେ।

ପିକେ ନାମରେ ଜଣାଶୁଣା ପ୍ରଶାନ୍ତ କିଶୋର ଜନ ସୁରାଜ ପ୍ରତିଷ୍ଠା କରିଥିଲେ। ପଶ୍ଚିମ ଚମ୍ପାରଣରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ସେ ୫ ହଜାର କିଲୋମିଟର ଯାତ୍ରା କରିଥିବା ଦାବି କରିଛନ୍ତି। ଏହି ସମୟ ମଧ୍ୟରେ ସେ ଚାଲିଚାଲି ୧୪ଟି ଜିଲ୍ଲା ଏବଂ କାରରେ ୧୦ ଟି ଜିଲ୍ଲାରେ ଯାତ୍ରା କରିଥିଲେ।

ଆଗାମୀ ବିଧାନସଭା ନିର୍ବାଚନରେ ​​ବିହାରର ସମସ୍ତ ୨୪୩ଟି ଆସନରେ ପ୍ରାର୍ଥୀ ଫିଲ୍ଡ କରିବାକୁ ପ୍ରଶାନ୍ତ କିଶୋର ନିଷ୍ପତ୍ତି ନେଇଛନ୍ତି। ସେ ମୁସଲମାନ ଏବଂ ଦଳିତ ବର୍ଗର ଭୋଟରଙ୍କୁ ଜାତି ଏବଂ ଧର୍ମ ଆଧାରରେ ଭୋଟ୍ ନଦେବାକୁ, ବରଂ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି।

୧୯୯୦ ଦଶକରୁ ବିହାରରେ ସାମାଜିକ ନ୍ୟାୟ ରାଜନୀତି ଆରମ୍ଭ ହୋଇଥିଲା। ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ରାବ୍ରି ଦେବୀ, ବର୍ତ୍ତମାନର ବିହାର ସିଏମ ନୀତୀଶ କୁମାର ଏହି ରାଜନୀତିର ନେତା ଥିଲେ।

ସୂଚନାଯୋଗ୍ୟ ଯେ ପ୍ରଶାନ୍ତ କିଶୋର ଜେଡିୟୁରୁ ​​ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ। ୨୦୧୫ରେ ନୀତୀଶ କୁମାର ତାଙ୍କୁ ପାର୍ଟିରେ ଦୁଇ ନମ୍ବର ସ୍ଥାନ ଦେଇଥିଲେ କିନ୍ତୁ ଖୁବ୍ ଶୀଘ୍ର ଦୁହେଁ ଅଲଗା ହୋଇଗଲେ। ମୁସଲମାନ ଭୋଟ୍ ଉପରେ ପ୍ରଶାନ୍ତ କିଶୋର ନଜର ରଖିଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ​​ସେ ୭୫ ଟି ଆସନରେ ମୁସଲମାନ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି।