ଜଗନଙ୍କୁ ବିଜୟ ଦେବା ପରେ ଏବେ ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା: ମମତାଙ୍କୁ ପାଇଁ କାମ କରିବେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର । ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମମତାଙ୍କ ବିଜୟ ପାଇଁ ଷ୍ଟ୍ରାଟେଜି କରିବେ ପ୍ରଶାନ୍ତ କିଶୋର । ଗୁରୁବାର ମମତା ଓ ପ୍ରଶାନ୍ତଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟାର ଆଲୋଚନା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟମାନଙ୍କ ପାଇଁ ଅଜଣା ଥିବା ପ୍ରଶାନ୍ତ ନିର୍ବାଚନ ପରାମର୍ଶଦାତା ଭାବେ ଜଣାଶୁଣା । ଆନ୍ଧ୍ର ପ୍ରଦେଶର ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡିଙ୍କ ଜବରଦସ୍ତ ବିଜୟ ପଛର ମୁଖ୍ୟ ନାୟକ ଥିବା ପ୍ରଶାନ୍ତ ଏବେ ମମତାଙ୍କ ପାଇଁ କାମ କରିପାରନ୍ତି ।

ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଟ୍ରାକ ରେକର୍ଡ ହିଁ ତାଙ୍କୁ ଲୋକପ୍ରିୟ କରିଛି । ନିର୍ବାଚନ ଋଣାଙ୍ଗନରେ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାରେ ମାହିର  ପ୍ରଶାନ୍ତ ଗତ ନିର୍ବାଚନ ଗୁଡିକରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।  ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ଷ୍ଟ୍ରାଟେଜି ବଳରେ ଜଗନ ମୋହନଙ୍କୁ ଶାସନ ଗାଦିରେ ବସାଇବା ସହ ଚନ୍ଦ୍ରବାବୁ ନାଇଡୁଙ୍କୁ ଶାସନ କ୍ଷମତାକୁ ବିଦା କରିଥିଲେ । ଏପରିକି ଲୋକସଭାରେ ୨୫ ଆସନ ଓ ବିଧାନସଭାର ୧୭୫ ଆସନରୁ ୧୫୧ ଆସନ ହାସଲ କରି ଜବରଦସ୍ତ ବିଜୟ ହାସଲ କରିଥିଲା ୱାଇଏସଆର କଂଗ୍ରେସ ।

ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଥିବା ପ୍ରଶାନ୍ତ ଗତବର୍ଷ ସକ୍ରିୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ତାଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଥିଲେ ମଧ୍ୟ ଚଳିତ ଲୋକସଭା ନିର୍ବାଚନରେ ଦଳ ପକ୍ଷରୁ କୌଣସି ଦାୟିତ୍ୱ ଦିଆଯାଇନଥିଲା । ୨୦୧୪ରେ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନରେ ମୋଦିଙ୍କ ପାଇଁ ରଣନୀତି ପ୍ରସ୍ତୁତ କରି ବିଜେପିକୁ ବଡ ବିଜୟ ଭେଟି ଦେଇଥିଲେ । ପୂରା ପ୍ରଚାରର ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ । ଏହାପରେ ୨୦୧୫ରେ ଜେଡିୟୁର ବିଜୟ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରି ନୀତିଶ କୁମାରଙ୍କୁ ଶାସନଗାଦିରେ ବସାଇଥିଲେ । ତେବେ ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ନିର୍ବାଚନ ବୈତରଣୀ ପାର କରିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ ମଧ୍ୟ ଫେଲ୍ ମାରିଥିଲେ । ଉତ୍ତରପ୍ରଦେଶରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ତେବେ ପଞ୍ଜାବରେ ପ୍ରଶାନ୍ତଙ୍କ ପରାମର୍ଶରେ ହିଁ କଂଗ୍ରେସ ଏଠାରେ କ୍ଷମତାକୁ ଫେରିଥିଲା ।

ସମ୍ବନ୍ଧିତ ଖବର