କର୍ଣ୍ଣି ସେନା ଭୟ : ଜୟପୁର ଲିଟ୍‌ ଫେଷ୍ଟରୁ ଓହରିଲେ ପ୍ରସୂନ

ନୂଆଦିଲ୍ଲୀ : ସେନସର ବୋର୍ଡ (ସିବିଏଫସି)ର ଅଧ୍ୟକ୍ଷ ପ୍ରସୂନ ଜୋଶୀ ରାଜସ୍ତାନ ଜୟପୁରରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ସମାରୋହ ଜି ଜୟପୁର ଲିଟରେଚର ଫେଷ୍ଟିଭାଲରୁ ଓହରି ଯାଇଛନ୍ତି । ଆସନ୍ତା ରବିବାରଦିନ ସେ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କର୍ଣ୍ଣି ସେନାର ଧମକ ଯୋଗୁଁ ସେ ଏହାକୁ ବାତିଲ କରିଛନ୍ତି । ସେ “ମେ ଔର୍‌ ବୋ: କନଭରସେସନ୍ସ ଓ୍ଵିଥ୍‌ ମାଇସେଲଫ” ଶୀର୍ଷକ ଅଧିବେଶନରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।

ସଂଜୟ ଲୀଲା ଭନସାଲି ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେନସର ବୋର୍ଡ ମଂଜୁରୀ ଦେଇଥିବାରୁ କର୍ଣ୍ଣି ସେନା ପ୍ରସୂନଙ୍କ ଉପରେ ରାଗିଯାଇଛି । ତାଙ୍କୁ ରାଜସ୍ଥାନରେ ପୁରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଛି ।

ଏ ସଂପର୍କରେ ଘୋଷଣା କରି ଜୋଷୀ କହିଛନ୍ତି ଯେ ମୁଁ ଏଥର ଜୟପୁର ଲିଟରେଚର ଫେଷ୍ଟିଭାଲରେ ଯୋଗ ଦେଇପାରିବି ନାହିଁ । କାରଣ ମୁଁ ଚାହୁଁ ନାହିଁ ଯେ ମୋ ଯୋଗୁଁ ଆୟୋଜକ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ସମସ୍ୟାରେ ପଡ଼ନ୍ତୁ ଓ ସାହିତ୍ୟରେ ଫୋକସ ନକରି ବିବାଦ ଉପରେ ଧ୍ୟାନ ଦିଅନ୍ତୁ ।

ସେ କହିଛନ୍ତି ଯେ ଉକ୍ତ ଫିଲ୍ମକୁ ସବୁ ପ୍ରକ୍ରିୟା ପାଳନ କରି ହିଁ ପ୍ରମାଣପତ୍ର ଦିଆଯାଇଥିଲା । ଏହା କଲାବେଳେ ସମାଜ ପ୍ରତି ଏହାର ପ୍ରଭାବ, ଚଳଚ୍ଚିତ୍ର ଓ ସୃଜନଶୀଳତା ପ୍ରତି ନ୍ୟାୟ ଉପରେ ଦୃଷ୍ଟି ରଖାଯାଇଥିଲା । ମୁଁ ମୋ କର୍ତ୍ତବ୍ୟ ଠିକ୍‌ ଭାବେ ତୁଲାଇଥିଲି । ଆମେ ପରସ୍ପର ପ୍ରତି ଓ ଆମର ଅନୁଷ୍ଠାନ ଗୁଡିକ ପ୍ରତି ସମ୍ମାନ ଜଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର