ଧନ୍ୟବାଦ ପ୍ରସ୍ତାବ ଆଣିଲେ ପ୍ରତାପ, ଭାଷଣରେ ଚମକାଇଲେ

୫ଟି ଭାଷାରେ କହିଲେ, ଧନ୍ୟବାଦ ପ୍ରସ୍ତାବ ଆଗତରେ ପ୍ରଥମ ଓଡ଼ିଆ, ଟାର୍ଗେଟରେ ବିରୋଧୀ ଦଳ, ବିବାଦୀୟ ମନ୍ତବ୍ୟରୁ ହଟ୍ଟଗୋଳ

ନୂଆଦିଲ୍ଲୀ : ସଂସଦର ଚଳିତ ବଜେଟ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ ୨୦ରେ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି। ଲୋକସଭାରେ ପ୍ରଥମଥର ପାଇଁ ବାଲେଶ୍ବରରୁ ନିର୍ବାଚିତ ସାଂସଦ ତଥା କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଦୀର୍ଘ ଏକ ଘଣ୍ଟାର ଭାଷଣରେ ପ୍ରତାପ ରାମାୟଣ, ଋକ୍‌ବେଦ, ଗୀତା, ବେଦରୁ ବିଭିନ୍ନ ବାଣୀ, ମନ୍ତ୍ର, ଶ୍ଲୋକ ଆଦିର ଅବତାରଣା କରି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣଗାନ କରିଥିଲେ। କଂଗ୍ରେସ ସରକାରଙ୍କ ଅମଳର ଟୁ-ଜି, ଥ୍ରୀ-ଜି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ବିଗତ ୫ ବର୍ଷର ମୋଦୀ ସରକାରରେ ଦୁର୍ନୀତିର ସାମାନ୍ୟ ଛିଟାଟିଏ ବି ପଡ଼ିନି ବୋଲି ସେ ମତ ରଖିଥିଲେ।

ଇଂରାଜୀ, ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ବଙ୍ଗଳା ଭାଷାରେ ପ୍ରତାପଙ୍କ ଓଜସ୍ବିନୀ ଭାଷଣ ଶାସକ ଦଳକୁ ବିଶେଷ ଉତ୍ସାହିତ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବହୁଜନ ସମାଜ ପାର୍ଟିର ସାଂସଦମାନେ ତାଙ୍କର କେତେକ ବିବାଦୀୟ ମନ୍ତବ୍ୟ ଉପରେ ଆପତ୍ତି ଉଠାଇଥିଲେ। ପ୍ରତାପଙ୍କ ଭାଷଣ ବେଳେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ସାଂସଦମାନଙ୍କୁ ପ୍ରତାପଙ୍କ ଭାଷଣକୁ ବିରୋଧ କରିବା ପାଇଁ ଇସାରା କରିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷେ ପ୍ରତାପ ଭାଷଣ ଦେଉଥିବା ବେଳେ ଗୃହରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମୁରୁକି ମୁରୁକି ହସୁଥିଲେ ଓ ଟେବୁଲ ବାଡ଼ାଉଥିଲେ।

କେନ୍ଦ୍ରରେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଓ ସଫଳତାକୁ ନିଜ ଭାଷଣରେ ପ୍ରତାପ ଉପସ୍ଥାପିତ କରିଥିଲେ ଏବଂ କଂଗ୍ରେସକୁ ଜୋରଦାର୍ ଟ‌ାର୍ଗେଟ କରିଥିଲେ। ସେ କହିଥିଲେ ରାଜନୀତି ତାଙ୍କ ପାଇଁ ଜନସେବାର ଏକ ମାଧ୍ୟମ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇ ସେ କହିଥିଲେ ଜଣେ ସାଧାରଣ ଚା’ ବାଲା ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପରି ନିଜେ ଏକ ସାଧାରଣ ପରିବାରରୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଦେଶକୁ ନୂଆ ସ୍ତରକୁ ନେଇପାରିଛନ୍ତି। ମୋଦୀ ନିଜକୁ ଦେଶର ପ୍ରଧାନ ସେବକ କହି ତାହାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି।

ପ୍ରତାପ ତାଙ୍କ ଭାଷଣରେ ପୁଣି କହିଥିଲେ ମୋଦୀ ୫ ବର୍ଷ ନୁହେଁ ପ୍ରତି ବର୍ଷ ଦେଶର ଭିନ୍ନ ଭିନ୍ନ ସ୍ଥାନ ଯାଇ ହିସାବ ଦେଉଛନ୍ତି । ଏଭଳି ପୂର୍ବରୁ କେହି କେବେ କରି ନଥିଲେ। ଦେଶର ଲୋକ ଭେଜାଲ୍‌ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଜନତା ଅସଲ ମାଲ୍‌ ଚାହୁଁଛନ୍ତି ବୋଲି ପ୍ରତାପ କହିଥିଲେ। କଂଗ୍ରେସ ଉଦ୍ଦେଶ୍ୟରେ ସେ କହିଥିଲେ ଏବେ ବି ସମୟ ଅଛି ପଶ୍ଚାତାପ କରି ମୋଦୀଙ୍କୁ କ୍ଷମା ମାଗିନିଅ। ଆରଥରକୁ ଲୋକମାନେ ହୁଏତ ବିରୋଧୀ ଦଳର ମାନ୍ୟତା ଦେବେ।

ଶାସକ ଦଳର ତାଳି ମଧ୍ୟରେ ନିଜର ଶାଣିତ ସ୍ବରରେ ପ୍ରତାପ କହିଥିଲେ ଯେଉଁମାନେ ଲୋକମାନଙ୍କ ବିଶ୍ବାସ ଭାଙ୍ଗୁଥିଲେ ସେମାନେ ମୋଦୀଙ୍କୁ ସହି ପାରୁନାହାନ୍ତି । ଭଲ କଥାକୁ ପ୍ରଶଂସା କରିବା ପାଇଁ ବିରୋଧୀମାନେ ମନସ୍ଥ କରିବା କଥା। ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଉଦାହରଣ ଦେଇଥିଲେ। ୧୯୭୧ ଯୁଦ୍ଧ ସମୟରେ ବାଜପେୟୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିଥିବା ପ୍ରତାପ ମନେ ପକାଇ ଦେଇଥିଲେ।

ଭାଷଣରେ ପ୍ରତାପ ବିପ୍ଳବୀମାନଙ୍କର ମଧ୍ୟ ଉଦାହରଣ ଦେଇଥିଲେ। ସେ କହିଥିଲେ ପଶ୍ଚିମବଙ୍ଗ ସରକାର ଏକ ଯାତ୍ରା ପାର୍ଟି, ସେମାନେ କ’ଣ କରିବେ ସେମାନେ ସ୍ଥିର କରନ୍ତି। ଗୃହରେ ଉପସ୍ଥିତ ତୃଣମୂଳ କଂଗ୍ରେସର ସାଂସଦମାନେ ମନ୍ତ୍ରୀଙ୍କର ଏଭଳି ବକ୍ତବ୍ୟକୁ ନେଇ ହୋ-ହଲ୍ଲା ଆରମ୍ଭ କରିଦେଇଥିଲେ। ତୃଣମୂଳ କଂଗ୍ରେସର ସାଂସଦ କଲ୍ୟାଣ ବାନାର୍ଜୀ ଓ ସୌଗତ ରାୟ ପ୍ରତାପ ଷଡ଼ଙ୍ଗୀ ମଧ୍ୟରେ ତୁ-ତୁ-ମେ-ମେ ଦେଖିବାକୁ ମିଳିଥିଲା। ବାଚସ୍ପତି ଓମ ବିର୍ଲା କୌଣିସ ପ୍ରକାର ରୁଲିଂ ଦେବା ପାଇଁ ମନା କରିଦେଇଥିଲେ।

ପ୍ରତାପ ତାଙ୍କ ଭାଷଣରେ କହିଥିଲେ ଲୋକମାନଙ୍କ ଅଖଣ୍ଡ ବିଶ୍ବାସ ମୋଦୀଙ୍କ ଉପରେ ଅଛି। ଆୟୁଷ୍ମାନ ଯୋଜନାର ଲାଭ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମିଳୁନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ। ଆଶାକର୍ମୀ ମନୋରମା, ଚା’ ବାକାଳି ଡ. ପ୍ରକାଶ ରାଓଙ୍କ ଭଳି ପ୍ରତିଭାକୁ ମୋଦୀ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ଦକ୍ଷତା ବିକାଶ, ଗରିବମାନଙ୍କର କଲ୍ୟାଣକାରୀ ଯୋଜନାର ଲାଭ ଓଡ଼ିଶା ଭଳି ପଛୁଆ ରାଜ୍ୟକୁ ମିଳୁଥିବା ତଥା ସେଭଳି ଏକ ରାଜ୍ୟରୁ ସେ ଆସିଥିବା ପ୍ରତାପ କହିଥିଲେ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ବାହାର କରିବା, ନିର୍ବାଚନ କମିସନରଙ୍କ ଉପରେ ପ୍ରଶ୍ନ ଉଠାଇବାକୁ ନେଇ ବିରୋଧୀମାନଙ୍କୁ ସେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆମ ସେନାକୁ ବିରୋଧୀ କରୁଥିବା ସମାଲୋଚନାକୁ ପ୍ରତାପ ଦୃଢ଼ ନିନ୍ଦା କରିଥିଲେ। ସେ କହିଥିଲେ ଆମ ବୀର ଯବାନମାନଙ୍କ ପୁରୁଷାର୍ଥ ପ୍ରମାଣ ମାଗିବା ଧୃଷ୍ଟତା। ବାପାକୁ ବାପର ପ୍ରମାଣ ଦେବାକୁ କ’ଣ ମା’ର ଡିଏନଏ ପରୀକ୍ଷା ଦେବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଥିଲେ।

ଭାରତୀୟ ଜନତା ପାର୍ଟି ଦେଶର ମହିଳା, ଆଦିବାସୀ, ଶିଶୁ ଓ ଦଳିତମାନଙ୍କର ସୁରକ୍ଷା ପାଇଁ ବଚନ ଦେଇଥିଲା, ଯାହାକୁ ଦଳ ଆଜି ପର୍ଯ୍ୟନ୍ତ ପାଳନ କରିଆସୁଛି। ଭାରତର ଗଣତନ୍ତ୍ରକୁ ମଜବୁତ ରଖିବା ପାଇଁ ସେ କହିଥିଲେ, ଥରେ ଭୁଲ ଯୋଗୁଁ ଦେଶ ବିଭାଜିତ ହୋଇଥିଲା ତେଣୁ ଏପରି ଭୁଲ ନ ହେଉ। ସମସ୍ତ ଦଳ ଏକାଠି କାମ କରନ୍ତୁ। ଯେମିତି ଗଣତନ୍ତ୍ରକୁ ଆଉ ସେମିତି ସ୍ଥିତିରେ ଦେଖିବାକୁ ପଡ଼ିବ ନାହିଁ। ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଆଗତ କରିଥିଲେ।

ସମ୍ବନ୍ଧିତ ଖବର