ନୂଆଦିଲ୍ଲୀ/ ବାଲେଶ୍ୱର : ଘରୋଇ ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ମହାପ୍ରଭୁଙ୍କ ଟଙ୍କା କିପରି ତୁରନ୍ତ ମିଳିପାରିବ, ସେ ନେଇ ଆଲୋଚନା କରିବା ସହିତ ଏହି ଘଟଣାରେ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଦାବିପତ୍ର ଦେଇଛନ୍ତି। ଦାବିପତ୍ରରେ ସେ ଉଲ୍ଲେଖ କରିଛନ୍ତି ‌େଯ, ମନ୍ଦିର ଅର୍ଥ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଉ। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ସହ କୋଟି କୋଟି ଓଡ଼ିଆଙ୍କ ଜୀବନ ଜଡ଼ିତ ରହିଛି। ତେଣୁ ୟେସ୍‌ ବ୍ୟାଙ୍କରେ ଜମା ଥିବା ରାଶି ସୁରକ୍ଷିତ ନ ଫେରିବା ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ରହିବ। ଏହି ଟଙ୍କା ଫେରି ଆସିଲେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ହସ ଫୁଟିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଏହାପୂର୍ବରୁ ୟେସ୍‌ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା କିପରି ଫେରିବ, ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରୀମନ୍ଦିର ପ୍ରଶାସନ ସେ ନେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଚିଠି ଲେଖିଥିଲେ।

publive-image

ବିଜେଡି ସାଂସଦ ବି ଭେଟିଲେ, ୧୧୪ଟି ସ୍ବାୟତ୍ତ ଶାସନ ସଂସ୍ଥା ବାବଦରେ ବକେୟା ଥିବା ଅର୍ଥ ପ୍ରଦାନ ପାଇଁ ଦାବି
ନୂଆଦିଲ୍ଲୀ : ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଜମାଟଙ୍କା ସମ୍ପର୍କରେ ଆଲୋଚନା କରିବା ସହିତ ରାଜ୍ୟର ୧୧୪ଟି ସ୍ବାୟତ୍ତ ଶ‌ାସନ ସଂସ୍ଥା ପାଇବାକୁ ଥିବା ୭୦୦ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସର ପରଫର୍ମାନ୍ସ ଗ୍ରାଣ୍ଟ ଅନ୍ତର୍ଗତ ରାଜ୍ୟର ୧୧୪ଟି ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଅର୍ଥ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଗତ ୪ ବର୍ଷ ହେଲାଣି କେନ୍ଦ୍ର ସରକାର ଏହି ଯୋଜନା ବାବଦ ଅର୍ଥକୁ ପ୍ରଦାନ କରିବେ ବୋଲି କହିଆସୁଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ଓଡ଼ିଶା ପାଇନାହିଁ। ବିଜେଡି ୪ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ୍ ଓ ସସ୍ମିତ ପାତ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ଭେଟି ଏ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବଂ, ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।

ଏହି ସାକ୍ଷାତ ସମୟରେ ଅର୍ଥମନ୍ତ୍ରୀ ୟେସ୍‌ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହିତ ଆଲୋଚନା କରିଥିବା ବିଜେଡି ସାଂସଦଙ୍କୁ କହିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିରର ଏହି ଜମା ରାଶି ସୁରକ୍ଷିତ ରହିବ ବୋଲି ପୁଣି ସେ ସାଂସଦମାନଙ୍କୁ ପ୍ରତିଶ୍ରୁତି ଦେଇଲେ। ଏଥିସହ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ରାଜ୍ୟକୁ ମିଳିବାକୁ ଥିବା ୭୦୦ କୋଟି ଟଙ୍କା ପ୍ରଦାନ ଲାଗି ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ପ୍ରକାଶଥାଉକି, ଗତକାଲି ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଚ୍ୟୁତ ସାମନ୍ତ ପ୍ରତିନିଧିମଣ୍ଡଳୀରେ ସାମିଲ୍‌ ହୋଇଥିଲେ।