ଆଜି ରାତି ୮. ୪୫ ମିନିଟରେ ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’

ପାନାଜୀ: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆଜି ଗୋଆର ରାଜଧାନୀ ପଞ୍ଜିମର ଆଇନକ୍ସ ପ୍ରେକ୍ଷାଳୟରେ ଆଜି ରାତି ୮. ୪୫ ମିନିଟରେ ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ )ରେ ପ୍ରଦର୍ଶିତ ହେବ । ଏଥିପାଇଁ ‘ପ୍ରତୀକ୍ଷା’ ଟିମ ଗୋଆରେ ପହଞ୍ଚି ସାରିଛନ୍ତି । ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତୀକ୍ଷା ଟିମ ସେଠାରେ ଆୟୋଜିତ ପ୍ରେସ ମିଟରେ ‘ପ୍ରତୀକ୍ଷା’ର ଯାତ୍ରା ବିଷୟରେ ବିବରଣୀ ପ୍ରଦାନ କରିବେ । ନଭେମ୍ବର ୨୦ ରୁ ୨୮ ମଧ୍ୟରେ ଆୟୋଜିତ ହେଉଥିବା ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ୨୫ ଟି ଭାରତୀୟ ଭାଷାର ୩୫୪ଟି ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର, ଭାରତୀୟ ପାନୋରାମା ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ସ୍ଥାନ ପାଇବା ରାଜ୍ୟ ପାଇଁ ଏକ ଗୌରବର ବିଷୟ ଏବଂ ଏହା ଓଡ଼ିଆ ସିନେମା ଶିଳ୍ପ ଜଗତ ପାଇଁ ଏକ ପ୍ରେରଣା ସାବ୍ୟସ୍ତ ହେବ ବୋଲି ସିନେ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର