ପ୍ରୟାଗରାଜ: ନଦୀ ଯେବେ ଦୁଃଖ ଦିଏ, ଜୀବନ ସେବେ ଜର୍ଜରିତ ହୁଏ । ଯାହାର ବଡ଼ ଉଦାହରଣ ଆସିଛି ସଙ୍ଗମ ନଗରୀ ପ୍ରୟାଗରାଜରୁ । ଯେଉଁଠି ଜଳ ସମାଧି ନେଇଛି ଗାଁରୁ ସହର, ବୁଡ଼ିଛି ରାସ୍ତାଘାଟ, ସ୍କୁଲ କଲେଜ, ବଜାର ହାଟ, ମନ୍ଦିର ମସଜିଦ୍ ଆଦି । ବଡ଼ ବଡ଼ କୋଠା ବି ଅଧା ବୁଡା ହୋଇ ରହିଛି । ଏକପ୍ରକାର କହିବାକୁ ଗଲେ ପ୍ରୟାଗରାଜରେ ଗଙ୍ଗା ଯେତିକି ଦୁଃଖ ଦେଇଛି ଯମୁନାର ଯାତନା ବି ସେତିକି ଦେଖିବାକୁ ମିଳିଛି । ଦୁଇ ନଦୀର ଜଳରେ ପୂରା ତ୍ରାହି ତ୍ରାହି ଡାକୁଛି ପ୍ରୟାଗରାଜ ।
ଏକ ଜାତୀୟ ଗଣମାଧ୍ଯମରେ ପ୍ରକାଶିତ ଖବରରେ କୁହାଯାଇଛି ପ୍ରୟାଗରାଜରେ ବନ୍ୟା ତାଣ୍ଡବ ଏତେ ଭୟଙ୍କର ରୂପ ଧାରଣ କରିଛି ଯେ ପ୍ରାୟ ୭୦ ହଜାର ଲୋକ ବାସହୀନ ହୋଇଛନ୍ତି । ୨ ହଜାରରୁ ଅଧିକ ଘର ଭାଙ୍ଗିଛି, କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରାୟ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । କେଉଁଠି ଜଳବନ୍ଦୀ ଅଛନ୍ତି ତ କେଉଁଠି ଖାଦ୍ୟ-ପାନୀୟ ପାଇବାକୁ ବଞ୍ଚିତ ହୋଇଛନ୍ତି । ଘରଦ୍ବାର ସବୁ ପାଣିରେ ବୁଡ଼ିଯିବା ପରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ।
ଖାଲି ଜୀବନ ପ୍ରଭାବିତ ହୋଇଛି ତାହା ନୁହେଁ ଚାଷୀଙ୍କ ଚାଷ ବି ପ୍ରଭାବିତ ହୋଇଛି । ରାଜ୍ୟ କୃଷି ବିଭାଗର ଏକ ରିପୋର୍ଟ ଅନୁସାରେ ବନ୍ୟାରେ ପ୍ରାୟ ୨ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ । ଧାନ ଏବଂ ପରିବା ଚାଷ ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି । ୨୯୦ ଗାଁ ଏବଂ ୬୦ରୁ ଅଧିକ ସହରର ଲୋକେ ବନ୍ୟାରେ ପ୍ରଭାବିତ ।
ବନ୍ୟାଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି । ଉଦ୍ଧାର କାମରେ ୩୩୦ଟି ବୋଟ୍, ୨୯ଟି ମୋଟର ବୋଟ୍ ନିୟୋଜିତ ଅଛନ୍ତି । ୬୮ଟି ଗାଁ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ । ଉଦ୍ଧାରକାରୀ ଦଳ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ୨୦୦ ରାସ୍ତା ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି । ବ୍ରିଜ୍ ଭାଙ୍ଗି ପଡିଛି । ଗଙ୍ଗା-ଯମୁନା ନଦୀର ଜଳ ପୂରା ପ୍ରୟାଗରାଜର ଭୂଗୋଳକୁ ବଦାଇ ଦେଇଛି ।