ତିରୁପତି: ଆଜି ସକାଳ ପ୍ରାୟ ୮ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିରୁମାଲା ଅଞ୍ଚଳର ପର୍ବତ ଉପରେ ଥିବା ପ୍ରଭୁ ଭେଙ୍କଟେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିରକୁ ଯାଇ ସବୁ ଭାରତୀୟଙ୍କର ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି।
ଏ ସଂକ୍ରାନ୍ତରେ ‘ଏକ୍ସ୍’ରେ କରିଥିବା ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ତିରୁମାଲାସ୍ଥିତ ଶ୍ରୀଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ୧୪୦ କୋଟି ଭାରତୀୟଙ୍କ ସୁ-ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛି।
ମନ୍ଦିରର ପୂଜକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୈଦିକ ଆଶୀର୍ବାଦ ପ୍ରଦାନ କରିଛନ୍ତି।
ଗତରାତିରେ ରେନିଗୁଣ୍ଟା ବିମାନ ବନ୍ଦରରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଏସ୍. ଅବ୍ଦୁଲ୍ ନାଜୀର୍ ଓ ମୁଖ୍ୟମନ୍ତ୍ରୀ ୱାଇ. ଏସ୍. ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ।
ମନ୍ଦିର ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମର ଅଂଶସ୍ବରୂପ ହାଇଦ୍ରାବାଦରେ ଏକ ରୋଡ୍ ସୋ’ରେ ଯୋଗ ଦେବେ।