ଏ ବର୍ଷ ପ୍ରାକ୍‌-ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ରହିବ : ସ୍କାଏମେଟ୍‌

ଭୁବନେଶ୍ୱର : ଚଳିତ ବର୍ଷର ପାଣିପାଗ ସଂପର୍କରେ ଆଉଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଏଲ୍‌-ନିନୋର ପ୍ରଭାବ ସେତେଟା ରହିବ ନାହିଁ । ଏଣୁ ପ୍ରାକ-ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ରହିବ ।
ଭାରତରେ ସାଧାରଣତଃ ମାର୍ଚ୍ଚମାସରୁ ମେ ମାସ ପର୍ଯ୍ୟନ୍ତ ପ୍ରାକ-ମୌସୁମୀ ଋତୁ ରହିଥାଏ । ଏହି ସମୟରେ କାଳବୈଶାଖି, ଲଘୁଚାପ ଓ କେତେକ ସ୍ଥାନୀୟ କାରଣରୁ ବର୍ଷା ହୋଇଥାଏ । କିନ୍ତୁ ଏଲ୍‌-ନିନୋ ସକ୍ରିୟ ରହିଲେ ଏହି ବର୍ଷା ପରିମାଣ କମିଥାଏ । ଗତ ବର୍ଷ ଏଲ୍‌-ନିନୋ ସକ୍ରିୟ ଥିବାରୁ ପ୍ରାକ୍‌-ମୌସୁମୀ ବର୍ଷା କମ ରହିଥିଲା । କିନ୍ତୁ ଏବର୍ଷ ସ୍ୱାଭାବିକ ବର୍ଷା ରହିବ ବୋଲି ସ୍କାଏମେଟ କହିଛି । ଚଳିତ ବର୍ଷ ମାର୍ଚ୍ଚରୁ ମେ ମଧ୍ୟରେ ଭାରତରେ ଲଘୁଚାପ ଓ କାଳବୈଶାଖି ଜନିତ ବର୍ଷା ନିୟମିତ ଭାବେ ଦେଖାଯିବ । କିନ୍ତୁ ବାତ୍ୟାର ଆଶଙ୍କା ନାହିଁ ବୋଲି ସ୍କାଏମେଟ କହିଛି । ତେବେ ମୌସୁମୀ ସଂପର୍କରେ ସ୍କାଏମେଟ୍‌ ଏ ପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରିନାହିଁ । କିନ୍ତୁ ଏଲନିନୋ ନିଷ୍କ୍ରିୟ ରହିଲେ ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।
ଭାରତରେ ଖରିଫ ଚାଷ ପାଇଁ ପ୍ରାକ-ମୌସୁମୀ ବର୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଋତୁରେ ଭଲ ବର୍ଷା ହେଲେ ଖରିଫ ଫସଲ ଭଲ ହୋଇଥାଏ ।

ସମ୍ବନ୍ଧିତ ଖବର