ଲଣ୍ଡନ୍: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ତାଙ୍କ କ୍ୟାବିନେଟ୍ରେ ପ୍ରମୁଖ ପଦରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ ବ୍ରିଟେନ୍ର ଗୃହ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ଅନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ପ୍ରୀତିଙ୍କୁ ପୁଣିଥରେ ମନ୍ତ୍ରୀଭାବେ ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଦକ୍ଷ କ୍ୟାବିନେଟ୍କୁ ନେଇ ସେ ଆଗକୁ ବଢ଼ୁଛନ୍ତି ଏବଂ ଏକ ବିଶାଳ ଦାୟିତ୍ବ ସଂପାଦନର ଭାର ତାଙ୍କ ଉପରେ ରହିଛି। ସେହିପରି ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଋଷି ସୁନକ। ୩୯ ବର୍ଷୀୟ ସୁନକ୍ ଇନଫୋସିସି୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ସେ ଜନସନ୍ଙ୍କ ନୂଆ କ୍ୟାବିନେଟ୍ରେ ଟ୍ରେଜେରି ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା ଆନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ବୋରିସ ଜନସନ୍ଙ୍କ କ୍ୟାବିନେଟ୍ରେ ପ୍ରୀତି ପଟେଲ ପ୍ରଥମ ଭାରତୀୟ ବଂଶୋଦ୍ଭବ ଗୃହ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଭାରତ ସ୍ବାଗତ କରିଛି। ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଭାରତର ଜଣେ ପୁରୁଣା ବନ୍ଧୁ ଏବେ ବ୍ରିଟେନର ଗୃହ ମନ୍ତ୍ରୀ ପାଲଟିବା ଆନନ୍ଦର ବିଷୟ।
ସୂଚନାଯୋଗ୍ୟ, ୪୭ ବର୍ଷୀୟା ପ୍ରୀତି ୨୦୧୭ରେ କିଛି ଇସ୍ରାଏଲୀ ଅଧିକାରୀଙ୍କ ସହ କରିଥିବା ଗୁପ୍ତ ବୈଠକ ପାଇଁ ବିବାଦ ହେବାରୁ ଆନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ପ୍ରୀତି ୟୁରୋପୀୟ ସଂଘ ଛାଡ଼ିବାପାଇଁ ୨୦୧୬ରେ ଅଭିଯାନ ଆରମ୍ଭ କରିଥିଲେ। ଥେରେସା ମେ’ଙ୍କର ବ୍ରେକ୍ଜିଟ୍ ରଣନୀତିର ସେ ଜଣେ ଦୃଢ଼ ସମାଲୋଚକ । ପ୍ରୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ଦୃଢ଼ ସମର୍ଥକ ।
/sambad/media/agency_attachments/2024-07-24t043029592z-sambad-original.webp)