ଗାଁ ଲୋକଙ୍କ ଠାରୁ ବାଣ ଭର୍ତ୍ତି ସପୁରି ଖାଇବା ପରେ ପାଣିରେ ଠିଆ ହୋଇ ମୃତ୍ୟୁବରଣ କଲା ଅନ୍ତଃସତ୍ତ୍ବା ହାତୀ

ମାଲପୁରମ୍: ଗତ ସପ୍ତାହରେ ସ୍ଥାନୀୟ ଲୋକମାନେ ଦେଇ ଥିବା ଏକ ବାଣ ଭର୍ତ୍ତି ସପୁରି ଖାଇବା ପରେ କେରଳର ମାଲପ୍ପୁରମ୍‌ ଠାରେ ‌ଗୋଟାଏ ଅନ୍ତଃସତ୍ତ୍ବା ହାତୀର ମୃତ୍ୟୁ ଘଟିଛି। ପାଟିରେ ବାଣ ଫୁଟିବା ପରେ ହାତୀଟିକୁ ଏତେ କଷ୍ଟ ହେଲା ଯେ ସେ ଯାଇ ନଈ ଭିତରେ ଠିଆ ହେଲା। ନଈରେ ଠିଆ ହୋଇ ହୋଇ ତା’ର ପ୍ରାଣ ଛାଡ଼ିଗଲା।

ଏହି ହୃଦୟ ବିଦାରକ ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି ନୀଲାମ୍ବୁର ସେକ୍‌ସନ୍ ଫରେଷ୍ଟ୍ ଅଫିସର୍ ମୋହନ କୃଷ୍ଣନ୍।

ଖାଦ୍ୟ ଅନ୍ବେଷଣରେ ବୁଲୁ ବୁଲୁ ହାତୀଟି ଗ୍ରାମାଞ୍ଚଳକୁ ଚାଲିଯାଇଥିଲା। ସେଠାରେ କେତେକ ଲୋକେ ବାଣ ଭରାଯାଇଥିବା ସପୁରିଟିଏ ତାକୁ ଖାଇବାକୁ ଦେଇଥିଲେ। (ଏଠାରେ ସୂଚାଇ ଦିଆଯାଇ ପାରେ କି, ବଣୁଆ ବାର୍ହାମାନଙ୍କୁ ଘଉଡ଼ାଇବାକୁ ସେ ଅଞ୍ଚଳରେ ଏଇଟା ସାଧାରଣ କୌଶଳ।) ସପୁରିଟି ଖାଇବା ବେଳେ ହାତୀ ପାଟିରେ ବାଣ ଫୁଟିଲା ଏବଂ ତାକୁ ଭୀଷଣ କଷ୍ଟ ହେଲା।

ବନ୍ୟ ଅଧିକାରୀଜଣକ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ଖାଦ୍ୟ ଅନ୍ବେଷଣରେ ସେ ଗାଁକୁ ଆସିଥିଲା। ସ୍ବାର୍ଥପର ମଣିଷଙ୍କ ଯୋଗୁଁ ଏ ଦଶା ଭୋଗିବ ବୋଲି ସେ ଜାଣି ନ ଥିଲା। ହାତୀଟି ଭାବିଥିବ, ସେ ଦୁଇ ଦୁଇଟା ଜୀବନ ଧାରଣ କରିଥିବାରୁ ଲୋକେ ତାକୁ ଛାଡ଼ିଦେବେ। ତେଣୁ, ସେ ସମସ୍ତଙ୍କୁ ବିଶ୍ବାସ କରିଥିଲା। କିନ୍ତୁ, ଖାଉଥିବା ସପୁରିଟି ଫୁଟିବା ପରେ, ସେ ନିଜ ଦଶା ପାଇଁ ନୁହେଁ, ୧୮ ରୁ ୨୦ ମାସ ମଧ୍ୟରେ ଜନ୍ମ କରିବାକୁ ଥିବା ଛୁଆଟି ପାଇଁ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବ।

Image Courtesy of Newzz

ପାଟି କ୍ଷତାକ୍ତ ହେବାରୁ ଆଉ କିଛି ଖାଇ ନ ପାରି ହାତୀଟି ଭୋକ ଉପାସରେ ଏତେତେଣେ ଘୂରିବୁଲିଲା। ଖୁବ୍ ଯନ୍ତ୍ରଣା ହେଉଥିଲେ ବି ଭଦ୍ରା ହାତୀଟି କୌଣସି ଗ୍ରାମବାସୀଙ୍କୁ ମାରି ନ ଥିଲା କି, ଗୋଟିଏ ବି ଘର ଭାଙ୍ଗି ନ ଥିଲା।

ଯନ୍ତ୍ରଣା ଉପସମ ପାଇଁ ହାତୀଟି ଶେଷରେ ଯାଇ ଭେଲ୍ଲିୟାର୍ ନଦୀରେ ଛିଡ଼ା ହୋଇ ରହିଲା।

ହାତୀ ଉଦ୍ଧାରକାରୀ ଟିମ୍‌ର ଅନ୍ୟତମ ସଦସ୍ୟ ଥିବା ବନ୍ୟ ଅଧିକାରୀ ମୋହନ କୃଷ୍ଣନ୍ କହନ୍ତି, ମୁଁ ତାକୁ ଦେଖିଲା ବେଳେ ତା’ର ଥୋଡ଼ପାହାଡ଼ ଓ ପାଟି ପାଣିରେ ବୁଡ଼ାଇ ରଖି ସେ ନଦୀରେ ଛିଡ଼ା ହୋଇଥିଲା। ତୁଣ୍ଡରେ ହୋଇଥିବା କ୍ଷତରେ ପୋକଜୋକ ନ ହେବା ପାଇଁ ବୋଧେ ସେ ପାଣିରେ ଛିଡ଼ା ହୋଇଥିଲା।

ତାକୁ ନଈରୁ ଟାଣି କୂଳକୁ ଉଠାଇବାକୁ ବନ୍ୟ ଅଧିକାରୀମାନେ ଅନ୍ୟ ଦୁଇଟି ହାତୀ ଆଣିଥିଲେ। କିନ୍ତୁ, ଉଦ୍ଧାର କରାଯିବା ପୂର୍ବରୁ ମେ ୨୭ ତାରିଖ ଦିନ ସେ ପାଣିରେ ଭିତରେ ଠିଆ ହୋଇଥିବା ଅନ୍ତଃସତ୍ତ୍ବା ହାତୀଟି ମରିଗଲା। ମଲା ହାତୀଟିକୁ ବ୍ୟବଚ୍ଛେଦ କରାଯିବା ପରେ ଜଣାପଡ଼ିଲା ଯେ ସେ ଅନ୍ତଃସତ୍ତ୍ବା ଥିଲା। ବ୍ୟବଚ୍ଛେଦ କରିଥିବା ଡାକ୍ତରଜଣକ କାନ୍ଦି କାନ୍ଦି ଏ କଥା କହିଥିଲେ।

ସମ୍ବନ୍ଧିତ ଖବର