ବନ୍ଦ ହେବ ବ୍ୟାବସାୟିକ ଗର୍ଭଭଡ଼ା: ବିବାହକୁ ୫ ବର୍ଷ ପୂରିଲେ ଅନୁମତି, ଭାରତୀୟ ହୋଇଥିବା ଆବଶ୍ୟକ

ବିଲ୍‌କୁ ଲୋକସଭାର ମଞ୍ଜୁରି

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଗର୍ଭଭଡ଼ା (ସରେ‌ାଗେସି) ନିୟାମକ ବିଲ୍‌କୁ ମଞ୍ଜୁରି ମିଳିଛି। ଭାରତରେ ଗର୍ଭଭଡ଼ାକୁ ନେଇ ସୃଷ୍ଟି ହେଉଥିବା ସମସ୍ୟାର ପ୍ରତିକାର ସକାଶେ ସରକାରଙ୍କ ପକ୍ଷରୁ ଏହି ବିଲ୍‌ ଅଣାଯାଇଛି। ଏ ବାବଦ‌ରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡା କହିଛନ୍ତି, ଦେଶରେ ବ୍ୟବସାୟିକ ଗର୍ଭଭଡ଼ାକୁ ରୋକିବା ପାଇଁ ଏହି ବିଲ୍‌ ଅଣାଯାଇଛି। ଏହାକୁ ସାଂସଦମାନେ ସମର୍ଥନ କରିବା ସହ ଏହା ସପକ୍ଷରେ ନିଜ ମତ ପ୍ରଦାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଏହି ବିଲ୍‌ର ଅତ୍ୟନ୍ତ ଆବଶ୍ୟକତା ରହିଛି।

ତାଙ୍କ କହିବାନୁଯାୟୀ ବ୍ୟବସାୟିକ ଗର୍ଭଭଡ଼ା ଏବଂ ଏଥିସହ ଯୋଡ଼ି ହୋଇଥିବା ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଯିବ। ଏଥିରେ ରହିଥିବା ପ୍ରସ୍ତାବ ଅନୁସାରେ ରାଷ୍ଟ୍ରୀୟ ଏବଂ ରାଜ୍ୟ ସରୋଗେସି ବୋର୍ଡ ଗଠନ କରାଯିବ। ଏହାଛଡ଼ା ଗର୍ଭଭଡ଼ା ନିୟମଗୁଡ଼ିକର ଯଥାବିଧି ପାଳନକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ। ସେ ଆହୁରି କହିଛନ୍ତି ଯେ ଯେଉଁ ଦମ୍ପତିମାନେ ପିଲା ଜନ୍ମ କରିବାକୁ ଅସମର୍ଥ, କେବଳ ‌ସେମାନଙ୍କ ପାଇଁ ଗର୍ଭଭଡ଼ାକୁ ଅନୁମତି ମିଳିବ। କିନ୍ତୁ ଜଣିକିଆ ଅଭିଭାବକ (ସିଙ୍ଗଲ୍‌ ପ୍ୟାରେଣ୍ଟ) ଓ ଲିଭ୍‌-ଇନ୍‌ ପାର୍ଟନର୍‌ଙ୍କୁ ଗର୍ଭଭଡ଼ା ପାଇଁ ଅନୁମତି ମିଳିବ ନାହିଁ। ସେହିଭଳି ଗର୍ଭଭଡ଼ାର ଫାଇଦା ନେବାକୁ ଇଚ୍ଛୁକ ଥିବା ଲୋକମାନେ ଭାରତୀୟ ନାଗରିକ ହୋଇଥିବେ ଏବଂ ସେମାନଙ୍କ ବିବାହକୁ ଅତିକମ୍‌ରେ ପାଞ୍ଚ ବର୍ଷ ପୂରିଥିବା ଜରୁରୀ। ଏହାବ୍ୟତୀତ ଦମ୍ପତିଙ୍କ ମଧ୍ୟରୁ ଜଣକୁ ପ୍ରମାଣ ଦେବାକୁ ହେବ ଯେ ସେ ପିଲା ଜନ୍ମ କରିବାକୁ ଅସମର୍ଥ।

ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିବା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ନଡା କହିଛନ୍ତି, ବ୍ୟବସାୟିକ ଦୃଷ୍ଟିରୁ ଗର୍ଭଭଡ଼ା ନିମନ୍ତେ ଭାରତକୁ ଏକ ବଡ଼ ପେଣ୍ଠସ୍ଥଳୀ ବୋଲି ବିବେଚନା କରାଯାଉଛି। ଏହି ଧାରଣାକୁ ଦୂର କରିବା ଏବେ ଜରୁରୀ ହୋଇପଡ଼ିଛି। ଭାରତୀୟ ମହିଳାମାନଙ୍କୁ ତଜ୍ଜନିତ ଉତ୍ପୀଡ଼ନରୁ ସୁରକ୍ଷା ଦେବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି। ୮୦ ପ୍ରତିଶତ ଗର୍ଭଭଡ଼ା ଭାରତରେ ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହି ଧାରାରେ ଅଙ୍କୁଶ ଲଗାଇବା ପାଇଁ ଗର୍ଭଭଡ଼ା ବିଲ୍‌ ଅଣାଯାଇଥିବା ମନ୍ତ୍ରୀ କହିଛନ୍ତି।

ଗର୍ଭଭଡ଼ା‌ କ’ଣ?

କୌଣସି କାରଣବଶତଃ ସନ୍ତାନପ୍ରାପ୍ତି ଲାଗି ଅସମର୍ଥ ହେଉଥିବା ଦମ୍ପତିଙ୍କ ପାଇଁ ‘ଗର୍ଭଭଡ଼ା’ କୌଣସି ଆଶୀର୍ବାଦରୁ କମ୍‌ ନୁହେଁ। ଚିକିତ୍ସା ବିଜ୍ଞାନର ଏହି ସଫଳତା ଅନେକ ଦମ୍ପତିଙ୍କ ମୁହଁରେ ହସ ଫୁଟାଇ ପାରୁଛି। ସନ୍ତାନ ଜନ୍ମ ପାଇଁ ଅସମର୍ଥ ହେଉଥିବା ମହିଳାମାନେ ଗର୍ଭଭଡ଼ା ଦ୍ବାରା ମା‌ଆ ହୋଇପାରିବେ। ତେବେ ଅନ୍ୟ ଜଣେ ମହିଳାଙ୍କ ଗର୍ଭାଶୟକୁ ଭଡ଼ାରେ ଆଣି ନିଜ ପିଲାକୁ ଜନ୍ମ ଦେବା ପ୍ରକ୍ରିୟାକୁ ଗର୍ଭଭଡ଼ା ବା ସରୋଗେସି କୁହାଯାଏ। ଯେଉଁ ମହିଳା ନିଜ ଗର୍ଭାଶୟରେ ଅନ୍ୟ ପିଲାଙ୍କୁ ରଖି ତାକୁ ଜନ୍ମ ଦେଇଥାଏ, ତାଙ୍କୁ ‘ସରୋଗେଟ୍‌ ମଦର୍‌’ ବୋଲି କୁହାଯାଏ। ନିଜ ଗର୍ଭାଶୟରେ ଅନ୍ୟର ପିଲାକୁ ରଖି ଜନ୍ମ ଦେବା ପରେ ସରୋଗେଟ୍‌ ମଦରଙ୍କୁ ଅର୍ଥ ମିଳିଥାଏ। ଗର୍ଭଭଡ଼ାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା ପାରମ୍ପରିକ (ଟ୍ରାଡିସନାଲ୍‌) ଓ ଗର୍ଭାବସ୍ଥା (ଜେଷ୍ଟେସନାଲ୍‌)। ପାରମ୍ପରିକ ଗର୍ଭଭଡ଼ାରେ ନିଜ ପିଲା ଚାହୁଥିବା ପିତାର ଶୁକ୍ରାଣୁକୁ ସରୋଗେଟ୍‌ ମଦର୍‌ର ଡିମ୍ବାଣୁ ସହିତ ମିଶାଯାଏ। ଏହି ପ୍ରକ୍ରିୟାରେ ଜନ୍ମ ହେଉଥିବା ପିଲାଠାରେ କେବଳ ପିତାର ବଂଶାନୁଗତ ପ୍ରଭାବ ଦେଖିବାକୁ ମିଳେ। ଅନ୍ୟପକ୍ଷରେ ଜେଷ୍ଟେସନାଲ୍‌ ପଦ୍ଧତିରେ ପିଲା ଚାହୁଥିବା ଉଭୟ ପତି ଓ ପତ୍ନୀଙ୍କ ଶୁକ୍ରାଣୁ ଓ ଡିମ୍ବାଣୁକୁ ମିଶାଇ ଭ୍ରୂଣ ପ୍ରସ୍ତୁତ କରାଯାଏ ଏବଂ ଏହାକୁ ସରୋଗେଟ୍‌ ମଦର୍‌ର ଗର୍ଭାଶୟ ମଧ୍ୟକୁ ଛଡ଼ାଯାଏ। ଏହି ପଦ୍ଧତିରେ ଜନ୍ମ ହେଉଥିବା ପିଲାଠାରେ ଉଭୟ ପିତା ଓ ମାତାଙ୍କ ବଂଶଗତ ପ୍ରଭାବ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର