ଓହାଇଓ: ଗତ ସପ୍ତାହରେ ଆମେରିକାର କଲମ୍ବସ୍ସ୍ଥିତ ଏକ ଗ୍ରୋସରି ଷ୍ଟୋର୍ରେ ଗ୍ରାହକ ସାଜି ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ଜଣେ ଅନ୍ତଃସତ୍ତ୍ବା ଯୁବତୀଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିଥିବା ଦୃଶ୍ୟ ଥିବା ଏକ ଫୁଟେଜ୍ ଓହାଇଓ ପୁଲିସ ରିଲିଜ୍ କରିଥିବା କଥା ଶୁକ୍ରବାର ଦିନ ‘ସିଏନ୍ଏନ୍’ ରିପୋର୍ଟ କରିଛି।
‘ସିଏନ୍ଏନ୍’ ରିପୋର୍ଟ କରିଛି , ଭିଡିଓରେ ଦେଖାଯାଉଛି ଜଣେ ବ୍ଲେନ୍ଡନ୍ ଟାଉନ୍ ପୁଲିସ ଅଫିସର୍ ଓହାଇଓ ଅନ୍ତର୍ଗତ ୱେଷ୍ଟର୍ଭାଇଲ୍ସ୍ଥିତ କ୍ରୋଗର୍ ଗ୍ରୋସରି ଷ୍ଟୋର୍ ବାହାରେ ଥିବା ଗୋଟାଏ ପାର୍କିଙ୍ଗ୍ ସ୍ଥଳରେ ଟା’କିୟା ୟଙ୍ଗ୍ ନାମ୍ନୀ ସେ ମହିଳାଙ୍କ କାର୍ ନିକଟରେ ପହଞ୍ଚି ତାଙ୍କୁ କାର୍ରୁ ବାହାରି ଆସିବା ଲାଗି ବାରମ୍ବାର କହୁଛନ୍ତି।
‘ବଡି କ୍ୟାମେରା’ ପିନ୍ଧିଥିବା ଆଉ ଜଣେ ପୁଲିସ ଅଫିସର୍ ସେ ମହିଳାଙ୍କ କାର୍ ଆଗକୁ ଯାଉଛନ୍ତି। ପ୍ରଥମ ପୁଲିସ ଅଫିସର୍ଜଣକ କହୁଛନ୍ତି, ତୁମେ କିଛି ଚୋରି କରିଥିବା କଥା ସେମାନେ କହୁଛନ୍ତି। କାର୍ରୁ ବାହାରି ଆସ। କିନ୍ତୁ, ମୁଁ ଚୋରି କରିନାହିଁ ୟଙ୍ଗ୍ କାର୍ ଚଳାଇବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, ଆଗରୁ ଗ୍ରୋସରି ଷ୍ଟୋର୍ର ଜଣେ କର୍ମଚାରୀ ପୁଲିସକୁ କହିଥିଲେ ଯେ, ‘ଆଲ୍କ୍ହଲ୍’ ବୋତଲ ଚୋରି କରିଥିବା ଜଣେ ମହିଳା ଏବେ ବାହାରେ ଠିଆ ହୋଇଥିବା କାର୍ରେ ବସିଛନ୍ତି।
ଏହି ସମୟରେ କାର୍ ଆଗରେ ଠିଆ ହୋଇଥିବା ଦ୍ବିତୀୟ ପୁଲିସ ଅଫିସର୍ କାର୍ ସାମନା କାଚ ଉପରକୁ ଗୁଳି ଚଳାଇଥିଲେ। ତା’ପରେ ଗାଡ଼ି ଅଟକାଇବାକୁ ଚିତ୍କାର କରି କହି କହି ପୁଲିସ କାର୍ ପାଖେ ପାଖେ ଦୌଡ଼ିଯାଇଥିଲେ। କିନ୍ତୁ, କାର୍ ଇଟା ତିଆରି ଦୁଇଟି ପିଲାର୍ ଥିବା ଫୁଟ୍ପାଥ୍କୁ ଗଡ଼ିଯାଇ ଗୋଟାଏ ଘରକୁ ପଶିଗଲା। ପୁଲିସ କାର୍ କାଚ ଭାଙ୍ଗି ସେ ମହିଳାଙ୍କୁ ଧରିବାକୁ ଚେଷ୍ଟା କଲା ବେଳକୁ ସେ ଗୋଟିଏ ପାଖକୁ ଅଣେଇ ହୋଇ ପଡ଼ିଥିଲେ।
ଡାକ୍ତରଖାନା ନିଆଯିବା ପରେ ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।