ନୂଆଦିଲ୍ଲୀ: ଆଜି ଭାରତ ବିକାଶ ପଥରେ ଆଗେଇ ଚାଲିଥିଲେ ମଧ୍ୟ ଦେଶରେ ଏବେ ମଧ୍ୟ ଅନେକ ଅଞ୍ଚଳରେ ରାସ୍ତା ନଥିବା ସହ ପରିବହନର ସୁବିଧା ନାହିଁ। ଲୋକଙ୍କୁ ଜରୁରୀ ସେବା ପାଇଁ ପଙ୍କ-କାଦୁଅ ରାସ୍ତା ବା ନଦୀ ପାର ହେବାକୁ ପଡ଼ୁଛି। ଯାହାର ଏକ ଜ୍ବଳନ୍ତ ଉଦାହରଣ ଛତିଶଗଡ଼ରେ ଦେଖିବାକୁ ମିଳିଛି। ପରିବହନ ଅଭାବ ଏବଂ ରାସ୍ତା ଖରାପ ଥିବା କାରଣରୁ ଛତିଶଗଡର ସୁରଗୁଜା କଡନାଇ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଏକ ଖଟିଆରେ ରଖି ଗାଁ ଲୋକେ ନଦୀ ପାର ହୋଇଥିବା ଜଣା ପଡ଼ିଛି।
ଟ୍ୱିଟ୍ କରାଯାଇଥିବା ଏକ ଭିଡିଓରେ ମହିଳା ଜଣକ ଖଟିଆରେ ବସିଥିବାର ନଜର ଆସିଛନ୍ତି। ଖଟିଆରେ ତାଙ୍କୁ ୪ଜଣ ଲୋକ କାନ୍ଧରେ ବୋହି ନେଉଥିବା ଭିଡିଓରେ ଦେଖାଯାଇଛି। ଆମ୍ବୁଲାନ୍ସ ନମିଳିବା ସହ ଉକ୍ତ ଅଞ୍ଚଳରେ ରାସ୍ତାର ଅବସ୍ଥା ଭଲ ନ ଥିବାରୁ ମହିଳାଙ୍କୁ ପ୍ରସବ ପାଇଁ ଖଟିଆରେ ନିକଟସ୍ଥ ଡାକ୍ତରଖାନାକୁ ନେବାକୁ ପଡିଥିଲା। ପରେ ତାଙ୍କୁ ସେଠାରୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।
#WATCH: A pregnant woman from Kadnai village of Surguja was carried on a makeshift basket through a river, as ambulance couldn't reach the village due to lack of proper road connectivity. The woman was later taken to the nearby govt hospital. #Chhattisgarh (1/8) pic.twitter.com/eenlZaWLOJ
— ANI (@ANI) August 1, 2020
ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସୁରଗୁଜାର ଜିଲ୍ଲାପାଳ ସଞ୍ଜୟ ଝା କହିଛନ୍ତି ଯେ, ଏହି ଅଞ୍ଚଳରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି,ଯେଉଁଠିକୁ ବର୍ଷା ଦିନେ ଯାତାୟାତ କରିବା କଷ୍ଟକର ହୋଇପଡେ। ପ୍ରଶାସନ ବର୍ତ୍ତମାନ ଏହିପରି ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଛୋଟ କାର ବ୍ୟବହାର କରିବାକୁ ଯୋଜନା କରୁଛି। କାର୍ ମାଧ୍ୟମରେ ଲୋକଙ୍କ ବାସଭବନରେ ପହଞ୍ଚିବା ଏପର୍ଯ୍ୟନ୍ତ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ଏବଂ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶାସନ ସର୍ବଦା ଯଥାସମ୍ଭବ ସେମାନଙ୍କ ବାସଭବନରେ ପହଞ୍ଚିବାକୁ ଚେଷ୍ଟା କରିଥାଏ ବୋଲି ସେ କହିଛନ୍ତି।