ଦୁଷ୍କର୍ମ ଉଦ୍ୟମରୁ ମୁକୁଳିବା ପାଇଁ ଭ୍ୟାନ୍‌ରୁ ଡେଇଁ ଗର୍ଭବତୀ ମୃତ

ହାଇଦ୍ରାବାଦ: ଏକ ଚଳନ୍ତା ଭ୍ୟାନ୍‌ରେ ଚାଳକ ଓ କ୍ଲିନରଙ୍କ ଦୁଷ୍କର୍ମ ଉଦ୍ୟମରୁ ବର୍ତ୍ତିଯିବା ପାଇଁ ଗାଡ଼ିରୁ ଡେଇଁପଡ଼ି ଜଣେ ଗର୍ଭବତୀଙ୍କର ମୃତ୍ୟୁ ହେବା ଘଟଣା ଆଲୋଡ଼ନ ଆଣିଛି। ହାଇଦ୍ରାବାଦ-ନାଗପୁର ୪୪ ନଂ ଜାତୀୟ ରାଜପଥର ରାବେଲ୍ଲି ଗାଁ ନିକଟରେ ସଂଘଟିତ ଏହି ଲଜ୍ଜାଜନକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।
ପୁଲିସ ସୂଚନାନୁଯାୟୀ, ତେଲେଙ୍ଗାନାର ମେଡ଼କ ଜିଲ୍ଲା ଅନ୍ତର୍ଗତ ତୁପ୍ରାନ ବ୍ଲକ୍‌ ପୁଥରାଜପାଲ୍ଲିି ଗାଁର ଉଦେ କଳାବତୀ(୩୫) ସାତ ମାସ ଗର୍ଭବତୀ ଥିଲେ। ପୁରୁଣା ଲୁଗାପଟା ବିକି ପେଟ ପୋଷୁଥିବା କଳାବତୀ ନିଜ ୭ ବର୍ଷର ଝିଅ ସହ ହାଇଦ୍ରାବାଦ ଉପକଣ୍ଠ କୋମାପାଲ୍ଲିରୁ ଗତ ଶନିବାର ରାତିରେ ନିଜ ଗାଁକୁ ଫେରୁଥିଲେ। ତେବେ ସରକାରୀ ବସ୍‌ ନମିଳିବାରୁ ମା’-ଝିଅ ଏକ ଭ୍ୟାନ୍‌ରେ ଚଢ଼ିଥିଲେ। ଗାଡ଼ିଟି ଏକ କିମି ଗଲା ପରେ ଚାଳକ ଏବଂ କ୍ଲିନର ମିଶି କଳାବତୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ। ଏଥିରୁ ମୁକୁଳିବା ପାଇଁ କଳାବତୀ ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। କିଛି ବାଟ ପରେ ଦୁଷ୍କର୍ମକାରୀ ଦ୍ୱୟ କଳାବତୀଙ୍କ ଝିଅକୁ ରାସ୍ତାରେ ଓହ୍ଲାଇଦେଇ ଚମ୍ପଟ ମାରିଥିଲେ। ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି କଳାବତୀଙ୍କୁ ମୃତ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ କଳାବତୀଙ୍କ ଝିଅକୁ ଉଦ୍ଧାର କରାଯାଇଥଲା। ଗାଡ଼ି ଭିତରେ ଗାଡ଼ିବାଲା ଦ୍ୱୟଙ୍କ ସହ ମା’ ଧସ୍ତାଧସ୍ତି ପରେ ଗାଡ଼ିରୁ ଡେଇଁପଡ଼ିଥିଲା ବୋଲି ଝିଅ କହିବା ପ୍ରକାରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର