୨୪ ବର୍ଷୀୟ ଅନ୍ତଃସତ୍ତ୍ୱା ମହିଳାଙ୍କୁ ଏଚ୍‌ଆଇଭି ପଜିଟିଭ୍‌ ରକ୍ତ ଦେଲେ ତାମିଲନାଡୁ ସରକାରୀ ଡାକ୍ତରଖାନା

ନୂଆଦିଲ୍ଲୀ: ତାମିଲନାଡୁର ବିରୁଧୁନଗର ଜିଲ୍ଲା ଅନ୍ତର୍ଗତ ଏକ ସରକାରୀ ଡାକ୍ତରଖାନାରେ ଜଣେ ୨୪ ବର୍ଷୀୟ ଅନ୍ତଃସତ୍ତ୍ୱା ମହିଳାଙ୍କୁ ଏଚ୍‌ଆଇଭି ପଜିଟିଭ୍‌ ଆକ୍ରାନ୍ତ ରକ୍ତ ଦିଆଯାଇଛି।

ନଭେମ୍ବର ୩୦ ତାରିଖ ଦିନ ସେହି ରକ୍ତ ଜଣେ ଯୁବକ ଦାନ କରିଥିଲେ। ସରକାରୀ ବ୍ଲଡ୍‌ ବ୍ୟାଙ୍କ୍‌ରେ ଥିବା ଲାବ୍ରୋଟରି ଟେକ୍ନିସିଆନ୍‌ମାନେ ଉକ୍ତ ରକ୍ତ ପରୀକ୍ଷା କରି କୌଣସି ଅସୁବିଧା ନ ଥିବା କହିବା ପରେ ଡିସେମ୍ବର ୫ ତାରିଖ ଦିନ ତାହା ଉକ୍ତ ମହିଳାଙ୍କୁ ଦିଆଯାଇଥିଲା।

କିନ୍ତୁ, ଉକ୍ତ ବ୍ୟକ୍ତିଜଣକ ପୁଣି କିଛି ପରୀକ୍ଷା ନିମନ୍ତେ ଏକ ଘରୋଇ କ୍ଲିନିକ୍‌କୁ ଯିବାରୁ ସେ ଏଚ୍‌ଆଇଭି ପଜିଟିଭ୍‌ ଆକ୍ରାନ୍ତ ହୋଇଥିବା କଥା ରକ୍ତ ପରୀକ୍ଷାରୁ ଜଣାପଡ଼ିଲା।

ଏକଥା ସେ ସରକାରୀ ଡାକ୍ତରଖାନାକୁ ଜଣାଇବା ବେଳକୁ ସେ ଦାନ କରିଥିବା ରକ୍ତ ଉକ୍ତ ମହିଳାଙ୍କୁ ଦିଆ ସରିଥିଲା।

ପରୀକ୍ଷାରେ ତ୍ରୁଟି କରିଥିବାରୁ ତିନି ଜଣ ଲାବ୍ରୋଟରି କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏକ ବ୍ଲଡ୍‌ ଡୋନେସନ୍‌ କ୍ୟାମ୍ପ୍‌ରେ ଦୁଇ ବର୍ଷ ତଳେ ଉକ୍ତ ବ୍ୟକ୍ତି ଉଭୟ ଏଚ୍‌ଆଇଭି ଏବଂ ହେପାଟାଇଟସ୍‌ ବି’ରେ ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ସେତେବେଳେ ଲ୍ୟାବ୍‌ ଅଧିକାରୀମାନେ ତାଙ୍କ ତଥ୍ୟାବଳୀ ରେକର୍ଡ କରି ନ ଥିଲେ କି, ତାଙ୍କୁ ଏଚ୍‌ଆଇଭି ଆକ୍ରାନ୍ତ କଥା ଜଣାଇ ନ ଥିଲେ।

ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରଭାବିତ ମହିଳା ଥାନାରେ ଏତଲା ଦେଇଛନ୍ତି।

ତୁରନ୍ତ ରୋଗ ନିରୂପଣ ହୋଇ ପାରିଥିବାରୁ ଉକ୍ତ ମହିଳାଙ୍କର ଅଧିକ କିଛି ଦିନ ବଞ୍ଚିବାର ସୁଯୋଗ ଅଛି ବୋଲି ଡାକ୍ତରମାନେ କହିବାରୁ ତାଙ୍କର ଆଣ୍ଟି-ରେଟ୍ରୋଭାଇରାଲ୍‌ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର