ନୂଆଦିଲ୍ଲୀ: ଚଳିତ ମାସରେ ପ୍ରକାଶିତ ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍ଏଫ୍ଏଚ୍ଏସ୍-୫) ରିପୋର୍ଟ ଏହାର ଅତୀତ ରିପୋର୍ଟରେ ମିଳିଥିବା ସ୍ବାସ୍ଥ୍ୟଭିତ୍ତିକ ଫାଇଦାକୁ ଓଲଟପାଲଟ କରିଦେଇଛି। ଏଥିରେ ୨୨ରୁ ୧୫ଟି ରାଜ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ରକ୍ତହୀନତା ଦେଖାଦେଇଥିବା ସଂଖ୍ୟାରେ ଭୀଷଣ ବୃଦ୍ଧି ସାଙ୍ଗକୁ ନଷ୍ଟ ହୋଇଯାଉଥିବା ଦର୍ଶାଯାଇଛି। ଏପରିକି ଦେଶରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବତନ୍ତ୍ର ପରିଚିତି ଥିବା କେରଳ ଓ ହିମାଚଳପ୍ରଦେଶରେ ମଧ୍ୟ ଅପେକ୍ଷାକୃତ କମ୍ ଓଜନବିଶିଷ୍ଟ, ଅବିକଶିତ ଏବଂ ନଷ୍ଟ ହେଉଥିବା ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଏଥିପାଇଁ ମୁଖ୍ୟତଃ ଗର୍ଭବତୀମାନଙ୍କ ଯତ୍ନ ଠିକ୍ରେ ନିଆଯାଉନଥିବା ସ୍ପଷ୍ଟ ହୋଇଛି ଯାହାର ସୁଦୂରପ୍ରସାରୀ ପ୍ରଭାବ ହିଁ ନବଜାତକମାନଙ୍କ ଠାରେ ପଡୁଛି। ଅବଶ୍ୟ ଏହା ପଛରେ ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପରୀକ୍ଷା କରାଯାଉଥିବା ପ୍ରକ୍ରିୟା ଠିକ୍ ହୋଇନଥାଇପାରେ, ଶିଶୁମାନଙ୍କ ଆବଶ୍ୟକତା ଅନୁଯାୟୀ ସୁଷମ ଖାଦ୍ୟ ସେମାନଙ୍କ ଘରେ କି ଅତିରିକ୍ତ ସରକାରୀ ଯୋଜନାରେ ମିଳୁନଥାଇପାରେ, ଧାରାବାହିକ ଅସୁସ୍ଥତା ପାଇଁ ସ୍ବଚ୍ଛ ତଥା ପରିମଳ ପରିବେଶର ଅଭାବ ଥାଇପାରେ ଏବଂ ଘରର ରୋଜଗାର କମିଥିବାରୁ ଆବଶ୍ୟକ ଫଳମୂଳ, ସବୁଜ ପନିପରିବା ଓ ଡାଲିଜାତୀୟ ସାମଗ୍ରୀ ଯୋଗାଇବା ସମ୍ଭବ ହୋଇନଥାଇପାରେ।
ତେବେ ଏହି ସବୁ କାରଣରୁ କେଉଁ ଗୋଟିକୁ କେବଳ ଜୋର କରି କୁହାଯାଇପାରିବ ନାହିଁ। ତେବେ ସର୍ବୋପରି ଗର୍ଭବତୀଙ୍କ ସ୍ବାସ୍ଥ୍ୟ ଠିକ୍ ରଖିବା ପାଇଁ ଆବଶ୍ୟକ ସୁଷମ ଖାଦ୍ୟ ଏବଂ ଉତ୍କୃଷ୍ଟ ପରିବେଶ ନଥିଲେ ଜନ୍ମିତ ଶିଶୁମାନେ ରକ୍ତହୀନତା ଓ ସମ୍ପୂର୍ଣ୍ଣ ବିକଶିତ ନହେଲା ପରି ଅବସ୍ଥା ଭୋଗିବା ସାର ହେଉଥିବା ଜଣାଯାଇଛି। ସୂଚନା ଥାଉ କି, ବିଗତ ସତୁରି ଦଶକ ପର ଠାରୁ ୨୦୦୫ ମସିହା ଯାଏ ବିଶ୍ବସ୍ତରରେ ମାତୃମୃତ୍ୟୁ ଓ ଶିଶୁ ମୃତ୍ୟୁହାର ଯଥେଷ୍ଟ କମିଯାଇଛି। ଏହି ଦୁଇଟିର ଫଳାଫଳ ଉପରେ କୌଣସି ଦେଶର ବିକାଶକୁ ହିଁ ବିବେଚନା କରାଯାଏ। ତେବେ ଭାରତରେ ଦଶନ୍ଧି ଦଶନ୍ଧି ଧରି ଏ ଦିଗରେ ପ୍ରଗତି ଏତେ ସ୍ବଳ୍ପ ଯେ କିଛି ଆଶା କରାଯାଉନଥିଲା। ଏପରିକି ଆମ ଗରିବ ପଡ଼ୋଶୀ ଦେଶମାନଙ୍କ ତୁଳନାରେ କେବଳ କେରଳ ଓ ତାମିଲନାଡୁକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟମାନଙ୍କରେ ଅତି ଦୟନୀୟ ସ୍ଥିତି। ଓ଼ଡ଼ିଶା, ଉତ୍ତରପ୍ରଦେଶ, ବିହାର ଓ ରାଜସ୍ଥାନରେ ମାତୃ ଓ ଶିଶୁ ମୃତ୍ୟୁହାର ଅକଳ୍ପନୀୟ ରହିଥିଲା। ଚଳିତ ଶତାବ୍ଦୀର ପ୍ରାରମ୍ଭରେ ବିଭିନ୍ନ କମିସନ ମାଧ୍ୟମରେ ଏହାକୁ ଗୁରୁତ୍ବ ଦେବା ଫଳରେ ଏଥିରେ କିଛି ସୁଧାର ଆସିଛି। ତଥାପି ସାମଗ୍ରିକ ଭାବେ ଦେଶରେ ଏ ସଂକ୍ରାନ୍ତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଆହୁରି ଯତ୍ନ ନେବା ଜରୁରୀ ହୋଇପଡ଼ିଛି।